ତ୍ରିବେଣୀ ସଙ୍ଗମ ଆରତୀରେ ସ୍ବଚ୍ଛତାର ବାର୍ତ୍ତା

ସୋନପୁର,୧୩।୧୧(ନି.ପ୍ର.)-ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ସୁବର୍ଣ୍ଣପୁରର ପ୍ରାଚୀନ ଶୈବପୀଠ ରାମେଶ୍ୱର ତ୍ରିବେଣୀ ସଙ୍ଗମ ତଥା ସ୍ବର୍ଣ୍ଣ ପ୍ରୟାଗଠାରେ ୬ଷ୍ଠ ବର୍ଷ ତ୍ରିବେଣୀ ସଙ୍ଗମ ଆରତୀ ମହାସମାରୋହରେ ପାଳିତ ହୋଇଯାଇଛି। ଏଥିପାଇଁ ମୁଖ୍ୟ ଆୟୋଜକ ଶ୍ୟାମା ଓଁ ପ୍ରସାଦ ମିଶ୍ରଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ କୃଷି ବିଭାଗର ଅତିରିକ୍ତ ସଚିବ ଡ. ଦୁର୍ବାଦଳ ମେହେର, ଏସ୍‌ପି ଦେବୀପ୍ରସାଦ ଦାଶ, ଅତିରିକ୍ତ ଜିଲାପାଳ ଶରତ ଚନ୍ଦ୍ର ପଣ୍ଡା, ଓଡିଶା ଗାନ୍ଧୀବାଦୀ ଫୋରମର ଅଧ୍ୟକ୍ଷା ଡ. ରୀନା ରାଉତରାୟ, ବରହମପୁରର ସାଧୁ ରାମଶଙ୍କର ଶତପଥୀ ପ୍ରମୁଖ ଅତିଥିଭାବେ ଯୋଗଦେଇ ଆରତୀ ଅବସରରେ ସ୍ବଚ୍ଛତାର ବାର୍ତ୍ତା ଦେଇଥିଲେ। ସହରବାସୀ, ଶ୍ରଦ୍ଧାଳୁଙ୍କ ମଧ୍ୟରେ ଆଧ୍ୟାତ୍ମିକତା, ମହାନଦୀ ଓ ତେଲନଦୀ ସହିତ ଅନ୍ୟାନ୍ୟ ନଦୀଗୁଡିକୁ ପ୍ରଦୂଷଣ ମୁକ୍ତ ରଖିବା ପାଇଁ ଜନସଚେତନତା ସୃଷ୍ଟି କରାଯାଇଥିଲା। ଏହି ଅବସରରେ ସାହିତ୍ୟ, ସଂସ୍କୃତି ପ୍ରତି ବିଶେଷ ଅବଦାନ ଥିବା ବ୍ୟକ୍ତିବିଶେଷଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଭୁବନେଶ୍ୱରର କମଳିନୀ ଦେବୀ, ବଲାଙ୍ଗୀରର ମମତା ସ୍ବାଇଁ ଓ ସୋନପୁରର ଇନ୍ଦୁମତି ପୁରୋହିତଙ୍କୁ ସୁବର୍ଣ୍ଣଗୌରବ ସମ୍ମାନରେ ସମ୍ମାନିତ କରାଯାଇଥିଲା। ପୂଜକ ଶିବ ନାରାୟଣ ପୂଜାରୀ, ଗଣେଷ ଦାଶ, ବାସୁଦେବ ଶତପଥୀ ଓ ସଚ୍ଚିଦାନନ୍ଦ ଦଶ ଆରତୀ କରିଥିଲେ। ଆରତିରାଣୀ ହୋତା ଓ ଦିଲ୍ଳୀପ କୁମାର ପଣ୍ଡା କର୍ତ୍ତା ଦାୟିତ୍ୱ ନିର୍ବାହ କରିଥିଲେ। ସଙ୍ଗୀତ ନିର୍ଦ୍ଦେଶକ ପୁଷ୍ପକ ରାୟ ଓ ସାଥି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏହି ଅବସରରେ କବି ଆର୍ତ୍ତତ୍ରାଣ ବାବୁଙ୍କ ଲିଖିତ କବିତା ସଙ୍କଳନ ମୋ ମାଟି ମୋ ବୈକୁଣ୍ଠକୁ ଅତିଥି ବୃନ୍ଦ ଉନ୍ମୋଚନ କରିଥିଲେ।