Categories: ଗଞ୍ଜାମ

ତ୍ରିପାକ୍ଷିକ ବୈଠକରେ ନିଷ୍ପତି: ରାତିରେ ପୋର୍ଟକୁ ଚଳାଚଳ କରିବ ଭାରୀଯାନ

ଛତ୍ରପୁର,୩ା୮(ଡି.ଏନ.ଏ)-ଗୋପାଳପୁର ପୋର୍ଟକୁ ଶୁକ୍ରବାର ରାତିରୁ ଭାରୀଯାନ ଚଳାଚଳ ଆରମ୍ଭ ହେବ ା ଛତ୍ରପୁର ଉପଜିଲାପାଳଙ୍କ ସମ୍ମିଳନୀ ଗୃହରେ ଅତିରିକ୍ତ ଜିଲାପାଳ (ରାଜସ୍ବ) ଲକ୍ଷ୍ମୀକାନ୍ତ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ତ୍ରିପାକ୍ଷିକ ଆଲୋଚନା ବୈଠକରେ ଏହି ନିଷ୍ପତ୍ତି ହୋଇଛି ା ବିପର୍ଯ୍ୟସ୍ତ ରାସ୍ତା ସମସ୍ୟା ଏବଂ ଅନ୍ୟାନ୍ୟ ଦାବି ନେଇ ସ୍ଥାନୀୟ ଲୋକେ ଭାରୀଯାନ ଚଳାଚଳକୁ ବିରୋଧ କରିଆସୁଥିଲେ ା ଫଳରେ ଜାତୀୟ ରାଜପଥ ଉପରେ ଶତାଧିକ ଭାରୀଯାନ ଅଟକି ରହିଛି। ଏଥିସହ ପୋର୍ଟ ପରିସରରେ ମଧ୍ୟ ମାଲ୍‌ ଅନଲୋଡିଂ ପରେ ମଧ୍ୟ ଶତାଧିକ ଗାଡି ଅଟକି ରହିଛି ା ଏତେ ସଂଖ୍ୟକ ଗାଡି ପୋର୍ଟକୁ ଆସୁଥିବାରୁ ୨ଟି ସ୍ଥାନ ଛତ୍ରପୁର ଉପକଣ୍ଠ ଜାତୀୟ ରାଜପଥ ପାର୍ଶ୍ୱ ଉଜ୍ଜ୍ୱଳେଶ୍ୱର ମନ୍ଦିର ନିକଟ ଏବଂ ଖଲ୍ଲିକୋଟ ବ୍ଲକ ନିର୍ମଳଝରଠାରେ ପାର୍କିଂ ବ୍ୟବସ୍ଥା ହେବ ବୋଲି ସୂଚନା ଦିଆଯାଇଥିଲା। ଏଣିକି କୌଣସି ଗାଡି ଜାତୀୟ ରାଜପଥରେ ଅଟକିବନି ା ପୁରୁଣା ଛତ୍ରପୁରଠାରୁ ଡୁଗୁଲୁ ଛକ ପର୍ଯ୍ୟନ୍ତ ଚାରିଲେନ୍‌ ବିଶିଷ୍ଟ କରାଯିବାକୁ ଥିବା ବେଳେ କାଳିଆବାଲି ଛକ ଠାରୁ ଆଇଆରଇ ପ୍ଲାଣ୍ଟ ପର୍ଯ୍ୟନ୍ତ ରାସ୍ତାର ଉନ୍ନତୀକରଣ ସହ ପ୍ରଶସ୍ତ କରାଯିବ ା ଏହି କାର୍ଯ୍ୟ ତ୍ୱରାନ୍ବିତ ପର୍ଯ୍ୟନ୍ତ ରାତିରେ ଭାରୀଯାନ ପୋର୍ଟକୁ ଚଳାଚଳ କରିବ ବୋଲି ବୈଠକରେ ସ୍ଥିର ହୋଇଛି। ଶୁକ୍ରବାର ଭୁବନେଶ୍ୱରରେ ଗ୍ରାମ୍ୟଉନ୍ନୟନ ସଚିବଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଏହି ରାସ୍ତା ଉନ୍ନତୀକରଣ ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଆଲୋଚନା ହୋଇଛି ବୋଲି ତ୍ରିପାକ୍ଷିକ ଆଲୋଚନା ବୈଠକରେ ସୂଚନା ଦିଆଯାଇଥିଲା ା ରାତିରେ ସୁରୁଖୁରୁ ଭାରୀଯାନ ଚଳାଚଳ ପାଇଁ ପୋର୍ଟ କର୍ତ୍ତୃପକ୍ଷ ସ୍ଥାନୀୟ ଲୋକଙ୍କୁ ସୁରକ୍ଷାକର୍ମୀ ଭାବେ ନିଯୁକ୍ତି ଦେବେ ା ଏହାର ତାଲିକା ଗାଁ କମିଟି ଦେବାକୁ କୁହାଯାଇଥିଲା ା ୮୦ ସୁରକ୍ଷା କର୍ମୀ ନିଯୁକ୍ତ ହେବେ ବୋଲି ପୋର୍ଟ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ ା ଏହାର ସଂଖ୍ୟା ବୃଦ୍ଧି କରିବାକୁ ସରପଞ୍ଚ ଓ ଅନ୍ୟମାନେ ପ୍ରସ୍ତାବ ଦେଇଥିଲେ। ଏଥିସହ ସ୍ଥାନୀୟ ଅଞ୍ଚଳରେ ସିଏସଆର୍‌ରେ ସ୍ବାସ୍ଥ୍ୟ, ପାନୀୟଜଳ, ଆଲୋକ ବ୍ୟବସ୍ଥା ପୋର୍ଟ ଓ ଅନ୍ୟ ସଂସ୍ଥାମାନେ କରିବେ ା ବୈଠକରେ ଛତ୍ରପୁର ଉପଜିଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ଛତ୍ରପୁର ଏସଡପିଓ ଉକତ୍ଳ କେଶରୀ ଦାଶ, ତହସିଲଦାର ନୀଳମାଧବ ଭୋଇ, ଡେପୁଟି ସବକଲେକ୍ଟର ଶରତ ଚନ୍ଦ୍ର ପାତ୍ର, ପୋର୍ଟ କର୍ତ୍ତୃପକ୍ଷ, କଣମଣା ସରପଞ୍ଚ ଏସ୍‌. ଚକ୍ରପାଣି ରେଡ୍ଡୀ, ସମିତିସଭ୍ୟା ରଶ୍ମିତା ବେହେରା, ଅର୍ଦ୍ଧା ରେଡ୍ଡୀ, ପୂର୍ବତନ ସରପଞ୍ଚ କ୍ରିଷ୍ଣା ରେଡ୍ଡୀ ଏବଂ ବିଭିନ୍ନ ଗାଁର ପ୍ରତିନିଧି ଉପସ୍ଥିତ ଥିଲେ ା