Categories: ଜାତୀୟ

ତ୍ରିକୋଣୀୟ ହେବାରେ ଲାଗିଛି ତୈଳ ଯୁଦ୍ଧ: ଭାରତ ସହିତ ଏସିଆ ରାଷ୍ଟ୍ରସମୂହ ଉପରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧୮।୯: ସୌଦିର ତୈଳ ବିଶୋଧନାଗାର ଉପରେ ଇରାନ୍‌ ହୁତି ସୈନ୍ୟଙ୍କ ଡ୍ରୋନ୍‌ ଆକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଏହାଯୋଗୁ ଇରାନ୍‌-ସୌଦି ସମ୍ପର୍କରେ ଫାଟ ବଢ଼ିବାରେ ଲାଗିଛି। ଏହା ଆମେରିକା ପାଇଁ ଏକ ସୁଯୋଗ ମଧ୍ୟ ସୃଷ୍ଟି କରିଛି। ଏହି ମଉକାରେ ଆମେରିକା ଇରାନ୍‌ ଉପରେ ଆକ୍ରମଣ କରିବାକୁ ଚାହିଁ ବସିଛି। ଫଳରେ ତୈଳ ଯୁଦ୍ଧରେ ଇରାନ୍‌, ସୌଦି ସହିତ ଜାଣିଶୁଣି ଆମେରିକା ଯୋଗଦେଇ ଏହାକୁ ତ୍ରିକୋଣୀୟ କରିଛି। ଏହାଦ୍ୱାରା ଆମେରିକା କବଜାରେ ଇରାନର ତୈଳବିଶୋଧନାଗାର ରହିବାର ସମ୍ଭାବନା ସୃଷ୍ଟି ହୋଇଛି। ତେବେ ଇରାନ୍‌ ଆମେରିକା ଜାଣିଶୁଣି ଯୋଜନାବଦ୍ଧ ଭାବେ ଏଭଳି ସ୍ଥିତି ସୃଷ୍ଟି କରିଥିବା ଇରାନ୍‌ କହିଛି। ଏପରି କରି ଆମେରିକା ନିକର ତୈଳ ଷ୍ଟକ ବୃଦ୍ଧି କରି ଏହାର ଅପବ୍ୟବହାର କରିପାରେ ବୋଲି ଇରାନ୍‌ ଅଭିଯୋଗ କରିଛି। ଏହି ସଙ୍କଟ ଜନକ ସ୍ଥିତି ଯୋଗୁ ଅଶୋଧିତ ତୈଳ ଉତ୍ପାଦନରେ ବାଧା ଦେଖା ଦେଇଛି। ଏହାଦ୍ୱାରା ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ହେବାର ଆଶଙ୍କା ରହିଛି। ଏହା ବ୍ୟାରେଲ୍‌ ପିଛା ୧୦ ଡଲାର ବଢ଼ିବ ବୋଲି କୁହାଯାଉଛି। ଭାରତ ସମେତ ଅନ୍ୟ ଏସିଆ ରାଷ୍ଟ୍ର ସମୂହକୁ ସୌଦି ଅଶୋଧିତ ତୈଳ ରପ୍ତାନି କରିଥାଏ। ଭାରତ ୮୩ ପ୍ରତିଶତ ଅଶୋଧିତ ତୈଳ ସୌଦିରୁ ଆମଦାନି କରିଥାଏ। ଅଶୋଧିତ ତୈଳ ଦର ବୃଦ୍ଧି ହେଲେ ଭାରତ ସହିତ ଅନ୍ୟ ଏସିଆ ରାଷ୍ଟ୍ରରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇବା ଯୋଗୁ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ମଧ୍ୟ ବଢ଼ିବାର ଆଶଙ୍କା ରହିଛି।

Share