ତୃତୀୟ ଲହର ପାଇଁ ରାଜ୍ୟ ସରକାର ପ୍ରସ୍ତୁତ

ଭୁବନେଶ୍ୱର,୫।୭(ବ୍ୟୁରୋ): କରୋନା ତୃତୀୟ ଲହର ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଥିବା ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ରବିବାର କହିଛନ୍ତି। ତୃତୀୟ ଲହରରେ ଶିଶୁମାନେ ଆକ୍ରାନ୍ତ ହେବେ ବୋଲି ଆଶଙ୍କା କରାଯାଉଥିବାରୁ ସରକାର ଏକ ଏସ୍‌ଓପି ପ୍ରସ୍ତୁତ କରିଛନ୍ତି। ସମସ୍ତ ଜିଲା ପ୍ରଶାସନ ଓ ହସ୍ପିଟାଲକୁ ସଜାଗ ରଖାଯାଇଛି। ଡାକ୍ତର, ନର୍ସଙ୍କୁ ଏନେଇ ସ୍ବନ୍ତ୍ର ପ୍ରଶିକ୍ଷଣ ଦିଆଯାଉଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ଆଇସୋଲେଶନ ବେଡ୍‌ ପ୍ରସ୍ତୁତ ରଖିବାକୁ କୁହାଯାଇଛି। ଗୁରୁତର ଚିକିତ୍ସା ପାଇଁ ରାଜ୍ୟରେ ଥିବା ମେଡିକାଲ କଲେଜ ଓ ହସ୍ପିଟାଲରେ ୬୪ ନବଜାତ ଶିଶୁ ଇଣ୍ଟେନ୍‌ସିଭ୍‌ କେୟାର ୟୁନିଟ୍‌(ଏନ୍‌ଆଇସିୟୁ) ପ୍ରତିଷ୍ଠା ପାଇଁ ଉଦ୍ୟମ ଚାଲିଛି। ଏଥିରେ ବୁର୍ଲା ଭିମ୍‌ସାରରେ ୨୦, କଟକ ଏସ୍‌ସିବି ଏବଂ ବାଲେଶ୍ୱର ଫକୀର ମୋହନ ମେଡିକାଲ କଲେଜ ଓ ହସ୍ପିଟାଲରେ ୧୦ଟି ଲେଖାଏ ରହିବ। ଏହା ବ୍ୟତୀତ ଏହି ମେଡିକାଲ କଲେଜଗୁଡ଼ିକରେ ୯୪ଟି ପେଡିଆଟ୍ରିକ୍‌ ଇଣ୍ଟେନ୍‌ଶିଭ୍‌ କେୟାର ୟୁନିଟ୍‌ (ପିଆଇସିୟୁ) ଏବଂ ୪୪ଟି ହାଇ ଡିପେଣ୍ଡେନ୍ସି ୟୁନିଟ୍‌(ଏଚ୍‌ଡିୟୁ) ସ୍ଥାପନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି।
ରାଜ୍ୟରେ କରୋନା ସ୍ଥିତି ଓ ସମ୍ଭାବ୍ୟ ତୃତୀୟ ଲହର ସମ୍ପର୍କରେ ସ୍ବାସ୍ଥ୍ୟ ବିଶେଷଜ୍ଞ ଡା. ନିରୋଜ ମିଶ୍ର କହିଛନ୍ତି, ଅଗଷ୍ଟରେ କଟକଣା କୋହଳ ହେବା ଅନୁଚିତ୍‌। ତୃତୀୟ ଲହର ଆସିବା ନେଇ ଆକଳନ କରାଯାଉଥିବାରୁ ନଭେମ୍ବର ପୂର୍ବରୁ ରାଜ୍ୟରେ ସମ୍ପୂୂର୍ଣ୍ଣ ଟିକାକରଣ କରିବା ପାଇଁ ଡା. ମିଶ୍ର ପରାମର୍ଶ ଦେଇଛନ୍ତି।