Categories: ଖେଳ

ତୃତୀୟ ଆଶେସ ଟେଷ୍ଟ: ଅଷ୍ଟ୍ରେଲିଆ ୧୭୯ ରନରେ ସୀମିତ

ଲିଡ୍ସ (ୟୁନାଇଟେଡ କିଙ୍ଗଡମ୍‌),୨୩|୮ (ଏଏଫ୍‌ପି)-ସ୍ଥାନୀୟ ହେଡିଂଲେଠାରେ ଗୁରୁବାର ତୃତୀୟ ଆଶେସ ଟେଷ୍ଟ ଆରମ୍ଭ ହୋଇଛି। ମେଘୁଆ ପାଗ ବୋଲରଙ୍କୁ ସୁହାଇବ ବୋଲି ଆଶା ରଖି ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ବୋଲରମାନେ ପ୍ରଭାବୀ ବୋଲିଂ କରି ରୁଟ୍‌ଙ୍କ ନିଷ୍ପତ୍ତି ଯଥାର୍ଥ ବୋଲି ସାବ୍ୟସ୍ତ କରିଥିଲେ। ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ମାତ୍ର ୧୭୯ କରି ଆଲଆଉଟ ହୋଇଯାଇଥିଲା। ଦଳ ପକ୍ଷରୁ ମାର୍ନସ ଲବୁସ୍କେନ୍‌ ସର୍ବାଧିକ ୭୪ରନ କରିଥିବା ବେଳେ ଓପନର ଡେଭିଡ ଓ୍ବାର୍ନର ୬୧ରନ କରିଥିଲେ। ଉଇକେଟକିପର ତଥା ଅଧିନାୟକ ଟିମ୍‌ ପେନ୍‌ ୧୧ରନ କରିଥିବାବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଦୁଇଅଙ୍କ ସ୍ପର୍ଶ କରିପାରି ନ ଥିଲେ। ଭ୍ରମଣକାରୀ ଦଳର ବ୍ୟାଟିଂ ବିପର୍ଯ୍ୟୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଇଂଲଣ୍ଡ ବୋଲର ଜୋଫ୍ରା ଆର୍ଚର। ସେ ୪୫ ରନ ବିନିମୟରେ ୬ଟି ଉଇକେଟ ଅକ୍ତିଆର କରିଥିଲେ। ଷ୍ଟୁଆର୍ଟ ବ୍ରଡ ୨ ଉଇକେଟ ନେଇଥିବା ବେଳେ କ୍ରିସ୍‌ ଓକ୍ସ ଓ ବେନ୍‌ ଷ୍ଟୋକ୍ସ ଗୋଟିଏ ଲେଖାଏଁ ଉଇକେଟ ସଫଳତା ପାଇଥିଲେ।
ବର୍ଷାଜନିତ କାରଣରୁ ଖେଳ ଏକ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିଲା। ପୂର୍ବରୁ ଡକରା ପାଇ ଆସିଥିବା ଅଷ୍ଟ୍ରେଲୀୟ ଓପନର ମାର୍କସ ହାରିସ ମାତ୍ର ୮ ରନ କରି ଜୋଫ୍ରା ଆର୍ଚରଙ୍କ ବଲ୍‌ରେ ବେୟାରଷ୍ଟୋଙ୍କ ଦ୍ୱାରା କ୍ୟାଚ ଆଉଟ ହୋଇଯାଇଥିଲେ। ଦଳର ସ୍କୋର ସେତେବେଳକୁ ମାତ୍ର ୧୨ ରନ ଥିଲା। ମଧ୍ୟାହ୍ନ ଭୋଜନ ପୂର୍ବରୁ ମାତ୍ର ୪ ଓଭର ବୋଲିଂ ସମ୍ଭବ ହୋଇଥିଲ। ଭ୍ରମଣକାରୀ ଦଳ ଏହି ମ୍ୟାଚରୁ ଓପନର କାମେରନ ବ୍ୟାଙ୍କ୍ରଫ୍ଟଙ୍କୁ ବାଦ୍‌ ଦେଇଥିଲା। ଏହି ବ୍ୟାଟ୍ସମ୍ୟାନ ଗତ ୪ଟି ଇନିଂସରେ ମାତ୍ର ୪୪ ରନ କରିବାରେ ସକ୍ଷମ ହୋଇଛନ୍ତି। ଡେଭିଡ ଓ୍ବାର୍ନରଙ୍କ ପାର୍ଟନର ହେବାଲାଗି ହାରିସଙ୍କୁ ଦଳରେ ନେଇଥିଲା। ଲଡର୍‌ସଠାରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟ ମ୍ୟାଚ ବର୍ଷାରେ ପ୍ରଭାବିତ ହେବା ସହ ଡ୍ର ଭାବେ ଶେଷ ହୋଇଥିଲା। ଉଭୟଙ୍କୁ ଇଂଲଣ୍ଡର ନୂଆ ବଲ୍‌ ବୋଲର ଷ୍ଟୁଆର୍ଟ ବ୍ରଡ୍‌ ଏବଂ ଆର୍ଚରଙ୍କ ବୋଲିଂ ବିରୋଧରେ ସଂଘର୍ଷ କରିବାକୁ ପଡ଼ିଥିଲା।

Share