ତିନିକୋଶିଆ ଜଙ୍ଗଲରୁ ପୁଣି ମୃତଦେହ ଉଦ୍ଧାର: ଲୋକେ ଭୟଭୀତ, ପୋଲିସର ତଦନ୍ତ ଆରମ୍ଭ

ସଜନାଗଡ଼,୨।୨(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ଥାନା ଅଧୀନ ସଜନାଗଡ଼ ପଞ୍ଚାୟତ ପିଡବ୍ଲ୍ୟୁ ୧୯ନଂ. ରାଜ୍ୟ ରାଜପଥ ପାର୍ଶ୍ୱ ତିନିକୋଶିଆ ଜଙ୍ଗଲରୁ ରବିବାର ପୂର୍ବାହ୍ନରେ ପୁଣି ଜଣେ ଯୁବକଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ମୃତ ଯୁବକ ହେଲେ ମୟୂରଭଞ୍ଜ ଜିଲା କପ୍ତିପଦା ଅଞ୍ଚଳର ନିରଞ୍ଜନ ଦେହୁରୀଙ୍କ ପୁଅ ଉତ୍ତମ (୨୫)।
ସୂଚନାଯୋଗ୍ୟ, ସକାଳେ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ରାସ୍ତାପାର୍ଶ୍ୱରୁ ଏକ ବାଇକ୍‌, ମୋବାଇଲ୍‌, ଆଧାର କାର୍ଡ ଜବତ କରିଛି। ଗତ ୨୬ ତାରିଖରେ ମଧ୍ୟ ଉକ୍ତ ଜଙ୍ଗଲରୁ ଜଣେ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଥିଲା। ଯାହାର ତଥ୍ୟ ଏଯାବତ୍‌ ସାମ୍ନାକୁ ଆସି ନ ଥିବା ବେଳେ ପୁଣି ଏକ ମୃତଦେହ ଉଦ୍ଧାର ଉକ୍ତ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି।