Categories: ଗଞ୍ଜାମ

ତାଲା ଭାଙ୍ଗି ଦୋକାନରୁ ନେଇଗଲେ ଏଲ୍‌ଇଡି ଟିଭି: ସାଇଣ୍ଟିଫିକ୍‌ ଟିମର ତଦନ୍ତ

ଗୋପାଳପୁର,୪ା୬-ବେଶ କିଛିଦିନର ନୀରବତା ପରେ ପୁଣି ସକ୍ରିୟ ହୋଇପଡ଼ିଛନ୍ତି ଲୁଟେରାମାନେ। ବୁଧବାର ରାତିରେ ଗୋପାଳପୁର ଥାନା କରାପଲ୍ଲୀ ସାହୁ ଏଣ୍ଟରପ୍ରାଇଜେସ୍‌ ଦୋକାନର ତାଲା ଭାଙ୍ଗି ଲୁଟେରାମାନେ ସାମଗ୍ରୀ ଚୋରି କରିଥିବା ଜଣାପଡ଼ିଛି। ଏ ନେଇ ଗୋପାଳପୁର ଥାନାରେ କେସ ନଂ. ୭୭/୨୦ରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଚଳାଇଛି।
ଘଟଣାରୁ ପ୍ରକାଶ, ମାନିନି ସାହୁ କରାପଲ୍ଲୀ ଛକ ନିକଟରେ ସାହୁ ଏଣ୍ଟରପ୍ରାଇଜେସ୍‌ ଦୋକାନ କରିଛନ୍ତି। ସେଠାରେ ମାନିନି ଜଣେ କର୍ମଚାରୀଙ୍କୁ ରଖି ବୁଝାସୁଝା କରୁଥିଲେ। ବୁଧବାର ରାତିରେ କର୍ମଚାରୀ ଜଣକ ଦୋକାନ ବନ୍ଦ କରି ଘରକୁ ଫେରିଥିଲେ। ମଧ୍ୟରାତ୍ରରେ ଲୁଟେରାମାନେ ଦୋକାନ ସମ୍ମୁଖରେ ଥିବା ଲାଇଟକୁ ବନ୍ଦ କରି ସଟର ଓ ଚାବିକୁ ତାଡ଼ି ଭିତରକୁ ପଶିଥିଲେ। ଦୋକାନରେ ଥିବା ବଡ଼ ଏଲଇଡି ଟିଭି, ୬ଟି ନୂତନ ଫ୍ୟାନ ଓ ଅନ୍ୟ ସାମଗ୍ରୀ ଲୁଟି ନେଇ ପଲାଇଥିଲେ। ଏ ନେଇ ଗୁରୁବାର ସକାଳେ ମାନିନି ଖବରପାଇ ଦୋକାନ ନିକଟକୁ ଆସି ଚୋରି ହୋଇଥିବା ଜାଣିବାକୁ ପାଇଥିଲେ। ଖବର ପାଇ ଗୋପାଳପୁର ଥାନାଧିକାରୀ ବିବେକାନନ୍ଦ ମହନ୍ତ, ଭଞ୍ଜବିହାର ଫାଣ୍ଡି ଅଧିକାରୀ ଏ. ଶଙ୍କର ରାଓ, ସାଇଣ୍ଟିଫିକ୍‌ ଟିମ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଚଳାଇଥିଲେ। ଦୋକାନ ପାର୍ଶ୍ୱରେ ଥିବା ସିସି ଫୁଟେଜ୍‌ ଯାଞ୍ଚ କରାଯାଇ ଲୁଟେରାମାନଙ୍କୁ ଖୁବଶିଘ୍ର କାବୁ କରାଯିବ ବୋଲି ଥାନା ସୂତ୍ରରୁ ସୂଚନା ମିଳିଛି।