ତାମିଲନାଡୁରେ ଫସିଛନ୍ତି ୩୦ ଶ୍ରମିକ: ଫେରାଇ ନେବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ

କୃଷ୍ଣପ୍ରସାଦ,୧୭।୫(ଡି.ଏନ୍‌.ଏ.): କରୋନା ଲାଗି ଦେଶରେ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଜାରି ରହିଛି। ଫଳରେ ପୁରୀ ଜିଲା କୃଷ୍ଣପ୍ରସାଦ ଅଞ୍ଚଳର ୩୦ଶ୍ରମିକ ତାମିଲନାଡୁରେ ଫସି ରହିଛନ୍ତି। ସେମାନଙ୍କ ଫେରିବା ବ୍ୟବସ୍ଥା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିବେଦନ କରିଛନ୍ତି। ଏ ନେଇ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି। ସୂଚନା ଅନୁଯାୟୀ, କୃଷ୍ଣପ୍ରସାଦ ଅଞ୍ଚଳର ଉକ୍ତ ଶ୍ରମିକମାନେ କାମ ପାଇଁ ତାମିଲନାଡୁ ଯାଇଥିଲେ। ସେଠାରେ ପହଞ୍ଚିବାର କିଛି ଦିନ ପରେ କରୋନା ଲାଗି ଲକ୍‌ଡାଉନ୍‌ ଜାରି ହୋଇଥିଲା। ଫଳରେ କାମ କେଉଁଠି ମିଳିଲା ନାହିଁ। ଯାହା ଟଙ୍କା ପାଖରେ ଥିଲା ସବୁ ଖର୍ଚ୍ଚ ହୋଇଗଲା। ପାଖରେ ଆଉ ଅର୍ଥ ନ ଥିବା ବେଳେ ନିଜ ଗ୍ରାମକୁ ଫେରିବା ବ୍ୟବସ୍ଥା କରାଇବା ଲାଗି ଶ୍ରମିକମାନେ ଏକ ଭିଡିଓରେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି।