ତହସିଲ ଆଗରେ ଆଦିବାସୀଙ୍କ ମେଳି

ଜଳେଶ୍ୱର, ୨୨।୧(ସ୍ବ.ପ୍ର.)-ଜଳେଶ୍ୱର ତହସିଲ ଅନ୍ତର୍ଗତ ଆରୁହା ପଞ୍ଚାୟତର ନିମପୁରଠାରେ ସରକାରୀ ସ୍ଥାନକୁ ଜବରଦଖଲ କରି ରହିଥିବା ଆଦିବାସୀମାନେ ସେମାନଙ୍କ ନାମରେ ନାମିତ କରିବା ଲାଗି ଦାବି କରି ଆସୁଥିବା ବେଳେ କର୍ତ୍ତୃପକ୍ଷ ଏଥିପ୍ରତି ଧ୍ୟାନ ଦେଉନାହାନ୍ତି। ବରଂ ୩ ଦିନ ମଧ୍ୟରେ ଉଚ୍ଛେଦ ନୋଟିସ୍‌ ଦେଇଥିବାରୁ ମଙ୍ଗଳବାର ଶତାଧିକ ଆଦିବାସୀ ମହିଳା ଓ ପିଲାଙ୍କୁ ଧରି ତହସିଲ ସମ୍ମୁଖରେ ବିକ୍ଷୋଭ କରିଛନ୍ତି ା ଏନେଇ ତହସିଲଦାରଙ୍କୁ ଏକ ସ୍ମାରକପତ୍ର ଦିଆଯାଇଛି।
ଖାତା ନଂ. ୨୭୨ ଖସଡା ନଂ. ୩୨୧, ୩୨୬, ୩୨୩, ୩୮୫ରେ ପ୍ରାୟ ୫୯ଜଣ ଆଦିବାସୀ ବସବାସ କରି ଆସୁଛନ୍ତି। ଗତ ୧୮ତାରିଖରେ ତହସିଲଦାରଙ୍କ ପକ୍ଷରୁ ସରକାରୀ ସ୍ଥାନରୁ ଉଚ୍ଛେଦ କରାଯିବା ପାଇଁ ୨୧ତାରିଖ ଧାର୍ଯ୍ୟ କରାଯାଇ ଥିବାବେଳେ ମଙ୍ଗଳବାର ଆଦିବାସୀଙ୍କ ପକ୍ଷରୁ ଜୟନାରାୟଣ ଜେନା ନେତୃତ୍ୱରେ ବିକ୍ଷୋଭ କରାଯାଇଛି। ଆଦିବାସୀ ମଞ୍ଚର ସମ୍ପାଦକ କେଦାର ସିଂ ଅତୀତରେ ଏ ସମ୍ପର୍କରେ କର୍ତ୍ତୃପକ୍ଷଙ୍କୁ ଜଣାଇ ଆସୁଥିଲେ ମଧ୍ୟ ବାଲେଶ୍ୱର ସଦର ଉପଜିଲାପାଳଙ୍କ କୋର୍ଟରେ ଏକ ମିସ୍‌ ପିଟିସନ ୮୬୭ ତା ୪ା୧୧ା୧୯ ଦାଏର କରିଥିଲେ। ଉପଜିଲାପାଳ ଏଥିନେଇ ଜଳେଶ୍ୱର ତହସିଲଦାରଙ୍କୁ ତଦନ୍ତ କରି ଆଇନ ଅନୁଯାୟୀ କାଯର୍‌ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ ା ପରବର୍ତ୍ତୀ ସମୟରେ ତହସିଲଦାର ସେମାନଙ୍କ ବିରୋଧରେ ଏଲ୍‌ଇ କେସ୍‌ କରି ଜରିମାନା ମଧ୍ୟ ଆଦାୟ କରିସାରିଛନ୍ତି। ତେଣୁ ସେମାନେ ବସବାସ କରି ଆସୁଥିବା ସ୍ଥାନକୁ ପଟ୍ଟା ପ୍ରଦାନ କରିବାକୁ ଲକ୍ଷ୍ମଣ ସରେନ୍‌, ଗଙ୍ଗାଧର ସିଂ, ମନ ସିଂ, ଚୈତନ ସିଂ, ଦୀପୁ ମୁର୍ମୁ, କୁନା କିସ୍କୁ, କାଦ ସିଂ, ମାଧବ ମୁର୍ମୁ, ଲତା ସିଂ ପ୍ରମୁଖ ଶତାଧିକ ବ୍ୟକ୍ତି ନିଜର ହକ୍‌ ପାଇଁ ମେଳି ବାନ୍ଧିଥିଲେ। ମାତ୍ର ତହସିଲଦାର ଭୟରେ ମୁଖ୍ୟ ଫାଟକରେ ତାଲା ପକାଇବା ଯୋଗୁ ଉତ୍ତେଜନା ପ୍ରକାଶ ପାଇଥିଲା।