ତହସିଲ ଅଫିସ ଆଗରେ ୧୯ ବାସନ୍ଦ ପରିବାରଙ୍କ ଧାରଣା

କୃଷ୍ଣପ୍ରସାଦ,୮ା୨(ଡି.ଏନ.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ କୁରୁପାଳ ଗାଁରେ ନିର୍ବାଚନକୁ ନେଇ ବିବାଦ ଲାଗିରହିଛି। ଏଥିଯୋଗୁ ୧୦ ମାସ ଧରି ଗ୍ରାମର ୧୯ ପରିବାରକୁ ବାସନ୍ଦ କରାଯାଇଛି। ଏହାର ସମାଧାନ ପାଇଁ ଏହି ପରିବାରର ସଦସ୍ୟମାନେ କୃଷ୍ଣପ୍ରସାଦ ତହସିଲ ଆଗରେ ଧାରଣାରେ ବସିଛନ୍ତି।
ଗ୍ରାମରେ ବାସନ୍ଦ ଥିବା ସୁବାସ ଚନ୍ଦ୍ର ଜେନା, ସନ୍ତୋଷ ସୁନ୍ଦରା, ଗତିକୃଷ୍ଣ ଜେନା, ଝାଡେଶ୍ୱର ଜେନା ପ୍ରମୁଖ କହିଛନ୍ତି, ଆମ ଗାଁରେ ମୋଟ ୧୦୦ ପରିବାର ବାସ କରନ୍ତି। ଗତ ୨୦୧୯ ନିର୍ବାଚନ ସମୟରେ ସମସ୍ତ ପରିବାର ଗୋଟିଏ ଦଳକୁ ସମର୍ଥନ ଦେବା ପାଇଁ ଗ୍ରାମରେ ନିଷ୍ପତ୍ତି ହୋଇଥିଲା। ଏଥିରେ ଆମେ ୧୯ ପରିବାର ଏକମତ ନ ହେବାରୁ ଆମକୁ ବାସନ୍ଦ କରାଯାଇଛି। ଏପରି କି ଧୋବା, ବାରିକ, ମନ୍ଦିର ସେବାରୁ ମଧ୍ୟ ବଞ୍ଚତ୍ତ କରାଯାଇଛି। ଏ ନେଇ ଜିଲା ଓ ବ୍ଲକ ପ୍ରଶାସନ ସହିତ କୃଷ୍ଣପ୍ରସାଦ ଥାନାକୁ ଅବଗତ କରିଥିଲେ ମଧ୍ୟ ସୁଫଳ ମିଳି ନାହିଁ। ଗତ ତା ୨୪ା୯ା୨୦୧୯ରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଲିଖିତ ଅଭିଯୋଗ ଦେବା ପରେ ଏହାର ସମାଧାନ ପାଇଁ ଜିଲାପାଳଙ୍କୁ ଏକ ପତ୍ର (ନଂ.ସିଏମ୍‌ଓଏଫ୍‌ଏଫ୍‌/ପି୨୦୧୯/୦୩୫୧) ହୋଇଛି। ଏହାର ସମାଧାନ ପାଇଁ ଜିଲାପାଳ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ତାହା ହୋଇପାରି ନାହିଁ। ଶେଷରେ ଅନ୍ୟ ଉପାୟ ନ ପାଇ ୧୯ ପରିବାର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ତହସିଲଦାର ଜିତେନ୍ଦ୍ର ନାୟକ କହିଥିଲେ, ଏହି ବିବାଦ ଲାଗିରହିଛି। ମୁଁ ଗୁରୁବାର ଉଭୟ ଗୋଷ୍ଠୀଙ୍କୁ ଡକାଇ ଆଲୋଚନା ପରେ କିଛି ସମାଧାନ ହୋଇ ପାରି ନ ଥିଲା। ଅନ୍ୟ ଏକ ଦିନ ଏହାର ସମାଧାନ କରିବା ପାଇଁ କହିଛି। ସେହିଭଳି କୃଷ୍ଣପ୍ରସାଦ ଥାନା ଆରକ୍ଷୀ ନିରୀକ୍ଷକ ଅଭିମନ୍ୟୁ ନାୟକ କହିଛନ୍ତି, ଏହି ସମସ୍ୟା ଉପରେ ମୁଁ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ବହୁବାର ଆଲୋଚନା କରିଛି ା ୧୯ ପରିବାର ଗୋଷ୍ଠୀ ଗ୍ରାମରେ ମିଶିବା ପାଇଁ ଚାହୁଁଛନ୍ତି। ୪/୫ ଦିନ ମଧ୍ୟରେ ଏସଡିପିଓ, ତହସିଲଦାର, କିଛି ଭଦ୍ର ବ୍ୟକ୍ତିଙ୍କୁ ନେଇ ଆଲୋଚନା କରି ତାହାର ସମାଧାନ କରିବୁ। ଅନ୍ୟପକ୍ଷେ ୧୯ ପରିବାର ସେମାନଙ୍କ ଜିଦ୍‌ରେ ଅଟଳ। ସେମାନେ କହିବା କଥା ୨୦ବର୍ଷ ଧରି ଏଭଳି ସମସ୍ୟା ଲାଗିରହିଛି। ଆମେ ବାରମ୍ବାର ମିଶୁଛୁ। ହେଲେ ନିର୍ବାଚନ ଆସିଲେ ଆମେ ବାସନ୍ଦ ରହୁଛୁ। ତେଣୁ ଏହାର ସ୍ଥାୟୀ ସମାଧାନ ନ ହେବା ଯାଏ ଆମେ ଧାରଣାରେ ବସିରହିବୁ।