ତହସିଲର ୨ କିରାଣି ନିଲମ୍ବିତ

ତିହିଡ଼ି,୧୨।୨(ଡି.ଏନ.ଏ.): ଭଦ୍ରକ ଜିଲା ତିହିଡ଼ି ତହସିଲ କାର୍ଯ୍ୟାଳୟର କିରାଣି କମଳାକାନ୍ତ ଗିରି ଓ ଗଣେଶ୍ୱର ସିଂଙ୍କୁ ନିଲମ୍ବନ କରାଯାଇଛି। ଜିଲା ପ୍ରଶାସନ ଚିଠି ନଂ ୨୩୯୧ ଓ ୨୩୯୩/୨୦ରେ ସେମାନଙ୍କୁ ନିଲମ୍ବନ କରାଯାଇଥିବା ଜଣାଯାଇଛି। ସୂଚନା ଅନୁସାରେ, କାର୍ଯ୍ୟାଳୟରେ ଲୋକଙ୍କୁ ହଇରାଣ କରାଇବା, ଲାଞ୍ଚ ମାଗିବା ଏବଂ କର୍ତ୍ତବ୍ୟରେ ଅବହେଳା କରିବା ଅଭିଯୋଗରେ ଏହି ପଦକ୍ଷେପ ନିଆଯାଇଛି। ତହସିଲଦାର ରମେଶ ଚନ୍ଦ୍ର ପଣ୍ଡା କାର୍ଯ୍ୟରେ ଯୋଗ ଦେବା ପରେ ଏହି ଦୁଇ କିରାଣିଙ୍କ କାର୍ଯ୍ୟରେ ଅବହେଳା ସମ୍ପର୍କରେ ଜାଣିବାକୁ ପାଇଥିଲେ। ସେ ମଧ୍ୟ ସେମାନଙ୍କୁ ଏ ସମ୍ପର୍କରେ କୈଫିୟତ ତଲବ କରିଥିଲେ। ସେମାନଙ୍କର କୌଣସି ପରିବର୍ତ୍ତନ ନ ହେବାରୁ ତହସିଲଦାର ଜିଲା ପ୍ରଶାସନକୁ କାର୍ଯ୍ୟାନୁଷ୍ଠାନ ପାଇଁ ଅବଗତ କରାଇଥିଲେ।