ତଳିଆ ଅଞ୍ଚଳରେ ପହଞ୍ଚୁନି କେନାଲ ପାଣି : ବିଲ ମୁଣ୍ଡରେ ବସି ଫେରୁଛନ୍ତି ଚାଷୀ

କୁଜଙ୍ଗ,୧୦ା୮(ସ୍ବ.ପ୍ର.): ଶ୍ରାବଣ ମାସ ସରିବାକୁ ବସିଲାଣି, ମାତ୍ର ଚାଷୀଙ୍କ ଜଳସେଚନ ଚିନ୍ତା ଦୂର ହେଉନାହିଁ। ଆବଶ୍ୟକ ଅନୁଯାୟୀ ବର୍ଷା ହୋଇ ନ ଥିବାରୁ ଚାଷକାର୍ଯ୍ୟ ଠିକ୍‌ ଭାବେ ହୋଇପାରୁନି। ସେପଟେ କେନାଲ ତଳମୁଣ୍ଡକୁ ପାଣି ଆସୁନାହିଁ। ଚାଷୀ ଜଳ ନ ପାଇ ମଧ୍ୟ ଜଳକର ଦେଉଛନ୍ତି। ଏଭଳି ସମସ୍ୟା ଦେଖାଦେଇଛି ଜଗତ୍‌ସିଂହପୁର ଜିଲାର କୁଜଙ୍ଗ ଅଞ୍ଚଳରେ। ଏହି ବ୍ଲକର ପ୍ରାୟ ଅଧିକାଂଶ ଅଞ୍ଚଳରେ ସାରଦ ଧାନ ଚାଷ ଆରମ୍ଭ ହୋଇନି କହିଲେ ଚଳେ। ପ୍ରତିବର୍ଷ ଅଗଷ୍ଟ ପ୍ରଥମ ସପ୍ତାହକୁ ଚାଷ ଅର୍ଥାତ ଧାନ ରୁଆ ବେଉଷଣ ୮୦ ପ୍ରତିଶତ ସରିଥାଏ। କିନ୍ତୁ ଚଳିତ ବର୍ଷ ୧୦ ପ୍ରତିଶତ ଜମିରେ ମଧ୍ୟ ଧାନ ଚାଷ ଆରମ୍ଭ ହୋଇ ନ ଥିବା କହିଛନ୍ତି ପାଟପୁରର ପୂର୍ବତନ ସରପଞ୍ଚ ରସାନନ୍ଦ ଜେନା। କୁଜଙ୍ଗ ବ୍ଲକ୍‌ରେ ମୋଟ ୧୩୫୭୦ ହେକ୍ଟର ଚାଷଜମିରୁ ୯୫୮୪ ହେକ୍ଟର ଜମିକୁ ଜଳସେଚନ ସୁବିଧା ରହିଥିବାରୁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହେବାକଥା ନୁହେଁ। ମାତ୍ର କେନାଲରେ ତଳମୁଣ୍ଡକୁ ପାଣି ଆସୁ ନ ଥିବାରୁ ଚାଷୀ ବିଲ ମୁଣ୍ଡରେ ବସି ବସି ଘରକୁ ଫେରୁଛନ୍ତି ବୋଲି କହିଛନ୍ତି ସାମାଜିକ କର୍ମୀ ପ୍ରହଲ୍ଲାଦ ସ୍ବାଇଁ, କିଶୋର ଚନ୍ଦ୍ର ତ୍ରିପାଠୀ ପ୍ରମୁଖ। ବ୍ଲକ୍‌ରେ ୭୦.୬୨ ପ୍ରତିଶତରୁ ଊର୍ଦ୍ଧ୍ୱ ଜମିକୁ ଜଳସେଚନ ସୁବିଧା ରହିଥିଲେ ମଧ୍ୟ ଜଳର ସୁଷମ ବଣ୍ଟନ ହୋଇପାରୁନି। ଏଥିଯୋଗୁ ପାଟପୁର ପଞ୍ଚାୟତରେ ଚାଷ କାର୍ଯ୍ୟ ବିଶେଷ ଭାବେ ବାଧାପ୍ରାପ୍ତ ହୋଇଛି। ଏହି ପଞ୍ଚାୟତର ଚାଷଜମିକୁ ୧୪ ନଂ. କେନାଲରେ ପାଣି ଆସିଥାଏ। କିନ୍ତୁ ଏବେ କେନାଲ ତଳମୁଣ୍ଡକୁ ପାଣି ଆସିପାରୁନି ବୋଲି କହିଛନ୍ତି ପାଟପୁରର ଚାଷୀ ପର୍ଶୁରାମ ସ୍ବାଇଁ, ଆର୍ତ୍ତବନ୍ଧୁ ସାହୁ, ଧ୍ରୁବଚରଣ ମହାନ୍ତି, ବିଦ୍ୟାଧର ଜେନା, ସୁରେଶ ଦଳାଇ, ରମେଶ ମହାନ୍ତି ପ୍ରମୁଖ। ଏ ସମ୍ପର୍କରେ କୁଜଙ୍ଗ କୃଷି ଅଧିକାରୀ ପ୍ରଦୋଶ ବେହେରାଙ୍କୁ ପଚାରିବାରୁ ସେ କହିଲେ ଯେ, ଏଭଳି କେତେକ ଅଭିଯୋଗ ଆସିଥିଲା। ମାତ୍ର ଏକ ମିଳିତ ଟିମ୍‌ ଏହାର ଅନୁଧ୍ୟାନ କରିଛନ୍ତି। କେତେକ ଅଞ୍ଚଳକୁ ପାଣି ମାଡୁ ନ ଥିବା ଜଣାଯାଇଛି। ସମ୍ପୃକ୍ତ ଚାଷୀମାନଙ୍କଠାରୁ ଜଳକର ନିଆଯାଉନାହିଁ। ଅନ୍ୟପକ୍ଷରେ ବହୁ ସ୍ଥାନରେ ଚାଷୀ ନିଜ ଉଦ୍ୟମରେ ପୋଖରୀ, ନଦୀ ଓ ସଫେଇ ଆଦିରୁ ପାଣି ନେଉଥିବା ଦେଖିବାକୁ ମିଳିଛି।