ଭାରତରେ ଗଣତନ୍ତ୍ରର ଅର୍ଥ ଓ ବାସ୍ତବତା ମଧ୍ୟରେ ଥିବା ବ୍ୟବଧାନ ସାଧାରଣ ଜନତାଙ୍କୁ ବିସ୍ମିତ କରିଛି । ମୁଷ୍ଟିମେୟ ଶାସକ ଗୋଷ୍ଠୀ ପାଇଁ ଗଣତନ୍ତ୍ର ଆଜି ପାଲଟିଛି ଉପଭୋଗର କ୍ଷେତ୍ର। ଦେଶ ଆମର ସତ କିନ୍ତୁ ଦେଶକୁ ଆମେ ଚଳାଉନାହୁଁ। ଯେଉଁମାନେ ନାଉରି ସାଜି ଦେଶ ନାଆର କାତ ଧରିଲେ ସେମାନେ ନାଆକୁ ଏପରି ସ୍ଥିତିକୁ ଆଣିଛନ୍ତି ଯେ ମଝି ଦରିଆରେ ତାହା ଆଜି ଟଳମଳ। ନାଉରୀ ବାପୁଡା ଯାତ୍ରୀଙ୍କ ନିରାପତ୍ତାକୁ ଉପେକ୍ଷା କରି ନିଜ ସ୍ବାର୍ଥ ରକ୍ଷାରେ ବ୍ୟସ୍ତ। ସେବକ ଆଉ ରକ୍ଷକ ନ ହୋଇ ଭକ୍ଷକ ସାଜିଲାଣି। ସେବକ ଭିଆଇପିରେ ରୂପାନ୍ତରିତ ହେଲେଣି। ଶାସକ ଓ ପ୍ରଶାସକଙ୍କ ନିଷ୍ଠୁରତା ଓ ସାଧାରଣଙ୍କ ପ୍ରତି ଉଦାସୀନତା ଲୋକଙ୍କ ମନରେ କ୍ଷୋଭ ସୃଷ୍ଟି କଲାଣି।
କେବଳ ଜନସାଧାରଣଙ୍କ ପ୍ରତି ନୁହେଁ ଭିଆଇପିଙ୍କ ଅଧସ୍ତନଙ୍କ ପ୍ରତି ହୀନମନ୍ୟତା ମଧ୍ୟ କେଉଁ ଗୁଣରେ କମ୍ ନୁହେଁ। କିଛିଦିନ ତଳେ ଦିଲ୍ଲୀ ନିକଟସ୍ଥ ଗୁରୁଗ୍ରାମର ଅତିରିକ୍ତ ଦୌରାଜଜ୍ଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀ ମହୀପାଲ ସିଂ ବିଚାରପତିଙ୍କ ସ୍ତ୍ରୀ ଓ ନାବାଳକ ପୁତ୍ରକୁ ଗୁଳିକରି ଜଜ୍ଙ୍କୁ ଏହା ଫୋନ ଯୋଗେ ଜଣାଇ ଦେଲେ। ବିଚାରପତି କୃଷ୍ଣକାନ୍ତି ଶର୍ମା ଏବଂ ତାଙ୍କ ପରିବାର ପ୍ରତିକ୍ଷଣରେ ଓ ପ୍ରତିକଥାରେ ମହୀପାଲଙ୍କୁ ଗାଳିଗୁଲଜ କରୁଥିଲେ ଓ ଦିନଟିଏ ବି ତାଙ୍କୁ ଛୁଟି ଦେଉ ନ ଥିଲେ। ଦୀର୍ଘ ମାନସିକ ଅବସାଦର ଏ ଥିଲା ପ୍ରତିଫଳନ। ଭିଆଇପିଙ୍କର ପ୍ରତିଟି ଘରୋଇ କାମ ପାଇଁ ସରକାରୀ ବେତନଭୋଗୀ କର୍ମଚାରୀଙ୍କୁ ନିଯୁକ୍ତ କରାଯାଉଛି, ଯେଉଁମାନଙ୍କ ଭାଗ୍ୟବିଧାତା ସାଜନ୍ତି ଏହି ତଥାକଥିତ ଭିଆଇପିମାନେ। ଦେଶର ସ୍ବାଧୀନତା ଯେତେ ପୁରୁଣା ହେଉଛି ଭିଆଇପିଙ୍କର ଅହମିକା ସେତେ ଅଧିକ ଅନୁଭୂତ ହେଉଛି। ସେବ୍ୟ ଓ ସେବକ ମଧ୍ୟରେ ଆକାଶ ପାତାଳ ପ୍ରଭେଦ। ସେବିତ ଏବେ ପ୍ରଶ୍ନ କରେ, ମୋ ଭୋଟ ଖଣ୍ଡକ ଯଦି ଏତେ ମୂଲ୍ୟବାନ ଓ ସେହି ଭୋଟ ଖଣ୍ଡକ ବିନିମୟରେ ଜଣେ ଯଦି ଉଚ୍ଚାସନ ପାଇ ସମସ୍ତ ସୁଖ ସୁବିଧା ଉପଭୋଗ କରି ପାରୁଛି, ତେବେ ଭୋଟ ପରେ ସେ ମୋତେ ତ ପୂଜା କରିବା କଥା। ବାସ୍ତବରେ ମୁଁ ହେଉଛି ଭିଆଇପି ଏବଂ କିଙ୍ଗ୍ମେକର। ପ୍ରସିଦ୍ଧ ଇଂଲିଶ ପ୍ରାବନ୍ଧିକ ଏ.ଏସ୍. ହମ୍ବିଙ୍କ ମତରେ, ଯେଉଁମାନେ ଦ୍ରବ୍ୟକୁ ଉପଭୋଗ କରନ୍ତି ସେମାନେ ସଭ୍ୟ କିମ୍ବା ଯୋଗ୍ୟ ନୁହନ୍ତି। ପ୍ରକୃତ ଯୋଗ୍ୟ ସେହିମାନେ ଯେଉଁମାନେ ଦ୍ରବ୍ୟ ଉପତ୍ାଦନ କରନ୍ତି। ଜୋତା ପିନ୍ଧିବା ଲୋକ ନୁହେଁ ଜୋତା ପ୍ରସ୍ତୁତ କରୁଥିବା ବ୍ୟକ୍ତିଟି ପ୍ରକୃତ ସଭ୍ୟ। କୃଷକ ଅକଥନୀୟ ଯନ୍ତ୍ରଣା ସହି, ସମସ୍ତ ପ୍ରାକୃତିକ ପ୍ରତିକୂଳତାକୁ ଆପଣେଇ ଯେଉଁ ଶସ୍ୟ ଗଣ୍ଡାକ ଉପତ୍ନ୍ନ କରେ ତା’ର ଉପଭୋକ୍ତା ନିଜକୁ ସଭ୍ୟ ବା ଭିଆଇପି ବୋଲାଉଥିବା ବେଳେ ବିଚରା କୃଷକ ଚିର ଅବହେଳିତ। ଧନୀ ବାବୁମାନେ ଧନରେ କୁବେର ପାଲଟିଥିବା ବେଳେ ଗରିବ ଜନତା କ୍ରମେ ଦରିଦ୍ରରୁ ଦରିଦ୍ରତର ହେବାରେ ଲାଗିଛି।
ଏ ସମ୍ବନ୍ଧରେ ଏକ ଗଳ୍ପ ପ୍ରାସଙ୍ଗିକ ମନେହୁଏ। ଥିଲେ ଜଣେ ଅତ୍ୟନ୍ତ ପ୍ରଜ୍ଞାଶୀଳ ବୃଦ୍ଧବ୍ରାହ୍ମଣ। ବାର୍ଦ୍ଧକ୍ୟରେ ଉପନୀତ ହୋଇ ସମ୍ପୂର୍ଣ୍ଣ ଧନହୀନ ଓ ରୋଗ କଷ୍ଟରେ ଜୀବନ ଜିଇବାକୁ ହେଲା। ଆଉ ବୟସ ନାହିଁ ଯେ କିଛି ଉପାର୍ଜନ କରି ସ୍ବାମୀ ସ୍ତ୍ରୀ ଦୁଇଜଣ ନିଜ ଆବଶ୍ୟକତା ପୂରଣ କରିପାରିବେ। ଥରେ ବୃଦ୍ଧବ୍ରାହ୍ମଣଙ୍କ ସ୍ତ୍ରୀ କହିଲେ ତୁମେ ସିନା ବୃଦ୍ଧ ହୋଇଛ ହେଲେ ତୁମ ପ୍ରଜ୍ଞା ତ ଊଣା ହୋଇ ନାହିଁ। ତୁମେ ଥରେ ରାଜ୍ୟର ରାଜାଙ୍କୁ ସାକ୍ଷାତ କରି ତୁମ ପାଣ୍ଡିତ୍ୟ ପ୍ରଦର୍ଶନ କଲେ ସେ ହୁଏତ ପ୍ରସନ୍ନ ହୋଇ କିଛି ଆର୍ଥିକ ସହାୟତା ପ୍ରଦାନ କରିବେ। ଆମେ ହୁଏତ କିଛି ଦିନ ଚଳିଯାଇ ପାରିବା। ନିଜର ଛିନ୍ନ ବସ୍ତ୍ର ଓ ଜୀର୍ଣ୍ଣ ଶରୀରରେ ବୃଦ୍ଧ ରାଜଦ୍ୱାର ଅଭିମୁଖେ ଗମନ କଲେ। ରାଜ ପ୍ରାସାଦର ପ୍ରଥମ ଓ ଦ୍ୱିତୀୟ ଦ୍ୱାରପାଳଙ୍କୁ ନିଜ ବୁଦ୍ଧି ବଳରେ ବଶୀଭୂତ କରି ତୃତୀୟ ତଥା ଶେଷ ଦ୍ୱାରରେ ଉପନୀତ ହେଲେ। ତୃତୀୟ ଦ୍ୱାରପାଳ ଥିଲେ ଅତି କଠୋର। ବ୍ରାହ୍ମଣ ଦେଖିଲେ ଏଠାରୁ ପାରିହେବା ଏତେ ସହଜ ନୁହେଁ। ତେଣୁ ସେ ନିଜ ଶାଣିତ ପ୍ରଜ୍ଞାର ଆଶ୍ରୟ ନେଲେ। ସେ ତୃତୀୟ ଦ୍ୱାର ରକ୍ଷକକୁ କହିଲେ ତୁମେ ଯାଇ ରାଜାଙ୍କୁ କୁହ ଯେ ତାଙ୍କ ମାଉସୀଙ୍କ ପୁଅ ଅର୍ଥାତ୍ ତାଙ୍କ ଜ୍ୟେଷ୍ଠ ଭ୍ରାତା ତାଙ୍କୁ ସାକ୍ଷାତ କରିବାକୁ ଆସିଛନ୍ତି। ବ୍ରାହ୍ମଣଙ୍କ କଥାରେ ସମସ୍ତେ ଆଶ୍ଚର୍ଯ୍ୟ ହେଲେ ମଧ୍ୟ ତୃତୀୟ ଦ୍ୱାର ରକ୍ଷକ ରାଜାଙ୍କୁ ଏ ସନ୍ଦେଶ ଦେଲେ। ରାଜାଙ୍କର ବିସ୍ମୟର ସୀମା ରହିଲା ନାହିଁ। ତଥାପି କୌତୂହଳବଶତଃ ଆଗନ୍ତୁକଙ୍କୁ ଭିତରକୁ ଯିବାର ଅନୁମତି ମିଳିଲା। ବ୍ରାହ୍ମଣ ଯେତେବେଳେ ରାଜାଙ୍କ ସମ୍ମୁଖରେ ପହଞ୍ଚତ୍ଲେ ରାଜା ବିସ୍ମୟର ସହ କହିଲେ ଯେ ତାଙ୍କର ସେପରି କେହି ଭାଇ ନାହାନ୍ତି। ପୁନଶ୍ଚ ସେ ଜଣେ କ୍ଷତ୍ରିୟ। ତେଣୁ ଜଣେ ବ୍ରାହ୍ମଣ କିପରି ତାଙ୍କର ଭାଇ ହୋଇପାରିବ ? ବୃଦ୍ଧ ଅଳ୍ପ ହସି କହିଲେ, ଆପଣ ଏ ରାଜ୍ୟର ରାଜା। ଆପଣ କ’ଣ ସତରେ ମତେ ଚିହ୍ନି ପାରୁ ନାହାନ୍ତି ନା ନ ଚିହ୍ନି ପାରିବାର ଅଭିନୟ କରୁଛନ୍ତି ? ରାଜା କ୍ରୋଧିତ ହୋଇ କହିଲେ ଆପଣଙ୍କ ପରିଚୟ ଦିଅନ୍ତୁ; ନଚେତ୍ ଅବିଳମ୍ବେ ଏ ସ୍ଥାନ ତ୍ୟାଗ କରନ୍ତୁ।
ବୃଦ୍ଧ ଉତ୍ତର ଦେଲେ ମୁଁ ଆପଣଙ୍କର ଭାଇ ଏହା ଚନ୍ଦ୍ର ସୂର୍ଯ୍ୟପରି ସତ୍ୟ। ଆପଣ ମୋତେ କେବେ ଖୋଜି ନ ଥିଲେ। ତେଣୁ ମୁଁ ଆସି ନ ଥିଲି। ଆପଣ ଏତେ ପଣ୍ଡିତଙ୍କ ଗହଣରେ ରହୁଛନ୍ତି। ଅଥଚ ଏ ସରଳ ସତ୍ୟଟି ବୁଝିପାରୁ ନାହାନ୍ତି। ଆପଣଙ୍କର ଜ୍ଞାନ ଚକ୍ଷୁ ଖୋଲି ଦିଅନ୍ତୁ। ମୋତେ ଚିହ୍ନି ପାରିବେ। ଆପଣଙ୍କ ମାଆ ଓ ମୋ ମା ଦୁଇ ଭଉଣୀ। ସୌଭାଗ୍ୟ ଦେବୀ ଓ ଦୁର୍ଭାଗ୍ୟ ଦେବୀ ଦୁଇ ଭଉଣୀ। ସୌଭାଗ୍ୟ ମା’ଙ୍କ ପୁତ୍ର ହୋଇଥିବାରୁ ଆପଣ ରାଜା ଓ ସକଳ ଐଶ୍ୱର୍ଯ୍ୟର ଅଧିକାରୀ ଓ ଦୁଭାର୍ଗ୍ୟ ଦେବୀଙ୍କ ପୁତ୍ର ହୋଇଥିବାରୁ ମୁଁ ଧନହୀନ, ଦାରିଦ୍ର୍ୟ ପ୍ରପୀଡିତ ଓ ଅବହେଳିତ। ମୋ କଥାରେ ସତ୍ୟତା ଜ୍ଞାତ ହେବା ପାଇଁ ଆପଣଙ୍କ ରାଜସଭାର ଜ୍ଞାନୀ, ଗୁଣୀ ଓ ପଣ୍ଡିତମାନଙ୍କର ମତ ନିଆଯାଇପାରେ। ରାଜପଣ୍ଡିତମାନେ ସମସ୍ବରରେ ବୃଦ୍ଧଙ୍କ ଯୁକ୍ତିକୁ ସମର୍ଥନ କଲେ। ରାଜାଙ୍କର ଜ୍ଞାନୋଦୟ ହେଲା, ସେ ନିଜର ଭୁଲ ବୁଝିପାରିଲେ ଯେ ରାଜକୀୟତାର ଆଡମ୍ବର ମଧ୍ୟରେ ରହି ସେ ରାଜ୍ୟର ଗରିବ ତଥା ଅବହେଳିତଙ୍କ ପାଇଁ କିଛି ପଦକ୍ଷେପ ନ ନେବା ବାସ୍ତବିକ ଏକ ଭୁଲ୍। ପଣ୍ଡିତଙ୍କୁ ପର୍ଯ୍ୟାପ୍ତ ଅର୍ଥଦାନ ଦେବା ସହ ନିଜ ପ୍ରାସାଦ ସନ୍ନିକଟରେ ରହିବାର ବ୍ୟବସ୍ଥା କରାଗଲା ଓ ରାଜା ରାଜ୍ୟର ସମସ୍ତ ଦୁଃଖୀ ଜନତାଙ୍କ ଦୁଃଖ ଦୂର କରିବାର ଶପଥ ନେଲେ।
ଏହା ଏକ କାହାଣୀ ହୋଇପାରେ। ମାତ୍ର ପ୍ରତ୍ୟେକ ଉଚ୍ଚସ୍ତରର ବ୍ୟକ୍ତି ଟିକେ ତଳକୁ ଦୃଷ୍ଟି ନିକ୍ଷେପ କଲେ ଏ ଗଳ୍ପର ସତ୍ୟତା ଅନୁଭବ କରିପାରିବେ। ନେତା ଭିଆଇପିମାନେ ନିଜ ଅହଙ୍କାରକୁ ତ୍ୟାଗ କରି ଟିକେ ତଳକୁ ଚାହିଁଲେ ଏ ଦେଶର ଅନେକ କୋଟି ଜନତାଙ୍କର ମଙ୍ଗଳ ହେବ। ଧନୀ ଦରିଦ୍ର ସମସ୍ତେ ଭାଇ ଭାଇ। ଟିକେ ତଳକୁ ଚାହିଁବାର ଆବଶ୍ୟକତା ଅଛି।
ବୈକୁଣ୍ଠନାଥମିଶ୍ର
ସିଦ୍ଧଳ,ଜଗତ୍ସିଂହପୁର
ମୋ: ୯୯୩୭୪୫୦୫୪୦

