ତବଲିଗ୍‌ ଜମାତ୍‌ ନେଇ ହରଡ଼ଘଣାରେ ସରକାର !

ନୂଆଦିଲ୍ଲୀ,୧।୪: ଦିଲ୍ଲୀର ନିଜାମୁଦ୍ଦିନ୍‌ରେ ହୋଇଥିବା ତବଲିଗ୍‌ ଜମାତ୍‌ ନେଇ ଏବେ କେନ୍ଦ୍ର ସରକାରଙ୍କ ସହିତ ରାଜ୍ୟ ସରକାର ମଧ୍ୟ ହରଡ଼ଘଣାରେ ପଡ଼ିଛନ୍ତି। ଜମାତ୍‌ରେ ଯୋଗଦେଇଥିବା ୩୨ଜଣଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯାଇଥିବାବେଳେ ୬୯ ଜଣ ଆଇସୋଲେଶନ୍‌ରେ ରହିଛନ୍ତି। ମାର୍ଚ୍ଚ ୧୬ରୁ ୨୪ ପର୍ଯ୍ୟନ୍ତ ଏଠାରେ ଏଭଳି ଧାର୍ମିକ ସମାବେଶ ହେବ ବୋଲି ପୂର୍ବରୁ ଜଣାଥିଲା। ସମାବେଶରେ ୪୦୦୦ରୁ ଅଧିକ ଲୋକ ଯୋଗଦେବା ନେଇ ପ୍ରଶାସନ ପାଖରେ ସୂଚନା ମଧ୍ୟ ଥିଲା। ମାର୍ଚ୍ଚ ୨୨ରେ ଜନତା କର୍ଫ୍ୟୁ ଲାଗିବା ପରେ ଜମାତ୍‌କୁ ଆୟୋଜକ ମାର୍ଚ୍ଚ ୨୩ରେ ତରବରିଆ ଭାବେ ଶେଷ କରିଥିଲେ। ତେବେ ୧୦୦୦ରୁ ଅଧିକ ଲୋକ ପରିବହନ ବ୍ୟବସ୍ଥା ନ ଥିବାରୁ ସେଠାରେ ବାଧ୍ୟ ହୋଇ ରହିଯାଇଥିଲେ। ସେମାନଙ୍କୁ ଡବ୍ଲ୍ୟୁଏଚ୍‌ଓ ପକ୍ଷରୁ ସଚେତନତା ଜାରି ହେବା ପରେ ବାହାର କରାଯାଇଥିଲା। କିଛିଦିନ ତଳେ ଦିଲ୍ଲୀରେ ଦଙ୍ଗା ଘଟିଥିଲା। ଏପରିସ୍ଥଳେ ଏଭଳି ଧାର୍ମିକ ସମାବେଶ କେନ୍ଦ୍ର ଅବା ଦିଲ୍ଲୀ ରାଜ୍ୟ ସରକାରଙ୍କ ଅଗଚୋରରେ ହେବାର ସମ୍ଭାବନା ଆଦୌ ନାହିଁ ବୋଲି ସମୀକ୍ଷକ କହିଛନ୍ତି। ଏଭଳି ସମାବେଶ ଦ୍ୱାରା ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେବାର ଆଶଙ୍କା ମଧ୍ୟ ଥିଲା। ବିଦେଶରେ ଥିବା ଭାରତୀୟ ଦେଶକୁ ଫେରିବା ପରେ କରୋନା ଦେଶରେ ପାଦ ଦେଇଥିଲା। ତେଣୁ ଏପରି ବଡ଼ ଧରଣର ସମାବେଶ ପାଇଁ ଅନୁମତି ଦେବାର କୌଣସି ଆବଶ୍ୟକତା ନ ଥିଲା। ଜମାତ୍‌ ଆୟୋଜକ ମାର୍ଚ୍ଚ ୨୩ ପରେ ଅଟକି ଥିବା ଲୋକଙ୍କୁ ବାହାର କରିବା ଲାଗି ପ୍ରଶାସନର ଅନୁମତି ମଧ୍ୟ ଲୋଡିଥିଲେ। ତେବେ କାହିଁକି ଅନୁମତି ଦିଆଗଲା ନାହିଁ ତାହା ଏବେ ଆୟୋଜକ ପ୍ରଶ୍ନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ମନ୍ତବ୍ୟ ନେଇ ଏବେ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି। ତାଙ୍କ ଅଜାଣତରେ ଏତେ ବଡ଼ ସମାବେଶ ଯେ ହୋଇଥିଲା ସେ ନେଇ ବିରୋଧୀ ପ୍ରଶ୍ନ କରିଛନ୍ତି। ଜମାତ୍‌ରେ ୩୦୦ରୁ ଅଧିକ ବିଦେଶୀ ଯୋଗଦେଇଥିଲେ। ସେମାନଙ୍କୁ କେନ୍ଦ୍ର ସରକାରଙ୍କ ଭିଜା ମିଳିଥିଲା। ଏନେଇ ପୂର୍ବ ବହିର୍ବ୍ୟାପାର ସଚିବ ଶଶାଙ୍କଙ୍କ ଅନୁସାରେ ଭାରତରେ ଜମାତ୍‌ ଲାଗି କୌଣସି ବିଦେଶୀଙ୍କୁ ଭିଜା ମିଳି ନ ଥାଏ। ଏପରିସ୍ଥଳେ ଜମାତ୍‌ରେ ଯୋଗଦେବା ଲାଗି ଲୋକେ ସବୁବେଳେ ପର୍ଯ୍ୟଟନ ଭିଜାରେ ହିଁ ଯିବା ଆସିବା କରିଥାନ୍ତି। ଏହା ସରକାରଙ୍କୁ ଭଲ ଭାବେ ଜଣା। ଯଦି ସୁବିଧାରେ ସମାବେଶ ଶେଷ ହୋଇଥାନ୍ତା କେହି ପ୍ରଶ୍ନ ଉଠାଇ ନ ଥାନ୍ତେ। କିନ୍ତୁ ଅଘଟଣ ଘଟିବାରୁ ଏବେ ଅଧିକାରୀ ନିଜ ଦୋଷ ଅନ୍ୟ ମୁଣ୍ଡରେ ଲଦିବାର ଉଦ୍ୟମ କରୁଥିବା ଶଶାଙ୍କ କହିଛନ୍ତି। ସୂଚନାଯୋଗ୍ୟ, ଏନେଇ ବିରୋଧୀ ରାଜନୈତିକ ଦଳଗୁଡ଼ିକ ମଧ୍ୟ ସରକାରଙ୍କୁ ଘେରିବା ଯୋଜନା କରୁଥିବା କୁହାଯାଉଛି। ଫଳରେ ନିଜାମୁଦ୍ଦିନ୍‌ ଜମାତ୍‌ ଏବେ ବିରୋଧୀଙ୍କ ପାଇଁ ମୁଖ୍ୟ ଅସ୍ତ୍ର ପାଲଟିଥିବା ରାଜନୈତିକ ସମୀକ୍ଷକ ମତ ଦେଇଛନ୍ତି। ଏନେଇ ବିରୋଧୀ ସରକାରଙ୍କୁ ଘେରିବା ଯୋଜନା କରୁଥିବା ଚର୍ଚ୍ଚା ହେଉଛି।

Share