ତପ୍ତପାଣି ଘାଟିରେ ବସ୍‌ ଦୁର୍ଘଟଣାଗ୍ରସ୍ତ: ମୃତକଙ୍କ ପରିବାରକୁ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ, ୨ ଲକ୍ଷ ସହାୟତା ଘୋଷଣା

ଭୁବନେଶ୍ୱର,୨୯ା୧(ବ୍ୟୁରୋ): ଗଞ୍ଜାମ-ଗଜପତି ସୀମାନ୍ତ ତପ୍ତପାଣି ଘାଟିରେ ବୁଧବାର ଏକ ଯାତ୍ରୀବାହୀ ବସ୍‌ ଓଲଟି ପଡ଼ିବା ଯୋଗୁ ୮ଜଣଙ୍କ ମୃତ୍ୟୁ ଘଟିଛି। ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି। ଏଥିସହ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ବିତ କରିବା ଲାଗି ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ଏସ୍‌ପି ବିଜ୍ରେଶ ରାୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରକାଶ ଯେ, ରାୟଗଡ଼ା ଜିଲା ଟିକିରିରୁ ୪୮ଜଣ ଯାତ୍ରୀଙ୍କୁ ନେଇ ବ୍ରହ୍ମପୁର ଆସୁଥିବା ବେଳେ ବସ୍‌ଟି ବୁଧବାର ଭୋର ସମୟରେ ଘାଟିର ପାଳୁଖୋଳା ନିକଟରେ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଖବର ପାଇ ଦିଗପହଣ୍ଡି ଥାନା ଆଇଆଇସି ବସନ୍ତ କୁମାର ସେଠୀ, ମୋହନା ଥାନା ଆଇଆଇସି ସୁଜିତ କୁମାର ନାୟକ ସଦଳବଳ ଘଟଣାସ୍ଥଳରେ ପହଞ୍ଚତ୍ ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଏଥିରେ ମୃତ୍ୟୁସଂଖ୍ୟା ୮ରେ ପହଞ୍ଚିଥିବା ବେଳେ ୩୭ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି। ପ୍ରାଥମିକ ଚିକିତ୍ସା ପରେ ଆହତ ଯାତ୍ରୀଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଗଞ୍ଜାମ ଜିଲାପାଳ, ଏସ୍‌ପି ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରୁଛନ୍ତି। ଘନକୁହୁଡ଼ି ଯୋଗୁ ବସ୍‌ ଦୁର୍ଘଟଣା ଘଟିଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି।