ତପ୍ତପାଣି ଘାଟିରେ ଓଲଟିଲା ମିନିବସ୍‌: ଜଣେ ମୃତ, ୨୫ ଆହତ

ଦିଗପହଣ୍ଡି,୨୧ା୫(ଡି.ଏନ.ଏ.)-ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ତପ୍ତପାଣି ଘାଟିରେ ମଙ୍ଗଳବାର ଅପରାହ୍ନ ପ୍ରାୟ ୫ଟାରେ ଏକ ମିନିବସ ଓଲଟି ପଡ଼ିବାରୁ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୫ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି। ମୃତକ ହେଲେ ଦିଗପହଣ୍ଡି ବ୍ଲକ ଗଡ଼ସାମନ୍ତରାପୁର ଗ୍ରାମର ରଘୁନାଥ ଗୌଡ଼। ଆହତମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।
ମଙ୍ଗଳବାର ସକାଳେ ଦୁଆରଗାଁର ଧୋବା ଗୌଡ଼ଙ୍କ ପୁଅ ରଞ୍ଜନଙ୍କ ନିର୍ବନ୍ଧ ଭୋଜି ପାଇଁ ବନ୍ଧୁବାନ୍ଧବ ଗଜପତି ଜିଲା ଚାନ୍ଦିପୁଟ ଗାଁକୁ ମିନିବସ (ନଂ.ଓଆର୦୭ ଏନ ୦୮୫୫)ରେ ଯାଇଥିଲେ। ସେଠାରୁ ଫେରିବା ବେଳେ ତପ୍ତପାଣି ଘାଟିର ବେଲଗଡ଼ ଗାଁ ନିକଟରେ ବ୍ରେକ୍‌ ଫେଲ ହେବାରୁ ମିନିବସଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା। ଫଳରେ ରଞ୍ଜନଙ୍କ ସମ୍ପର୍କୀୟ ମାମୁ ରଘୁନାଥଙ୍କ ସମେତ ୨୫ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ। ଖବରପାଇ ସାନଖେମୁଣ୍ଡି, ମୋହନା ଏବଂ ଦିଗପହଣ୍ଡି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚତ୍ ସମସ୍ତଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସେଠାରେ ରଘୁନାଥ ଗୌଡ଼ଙ୍କୁ ଡାକ୍ତର ସୋନାଲି ଗୁପ୍ତା ମୃତ ଘୋଷଣା କରିଥିଲେ। ଆହତ ଭଗବାନ ଗୌଡ଼, ନମିତା ଗୌଡ଼, ଲକ୍ଷ୍ମୀ ଗୌଡ଼, ଅହଲ୍ୟା ଗୌଡ଼, ସୁରେନ୍ଦ୍ର ସାହୁ, ସାଇବାଣୀ ଗୌଡ଼, ତମାଳ ଗୌଡ଼, ସାବିତ୍ରୀ ଗୌଡ଼, ସୁରେନ୍ଦ୍ର ଗୌଡ଼, ବାସନ୍ତୀ ଗୌଡ଼, ଦୁର୍ଯେୟା ଗୌଡ଼, ଖଲିଆ ଗୌଡ଼, ସୁପ୍ରଭା ଗୌଡ଼, ରିଙ୍କି ଗୌଡ଼, ମାମି ଗୌଡ଼, ପ୍ରଭାସିନୀ ଗୌଡ଼, ଦୀପକ ଗୌଡ଼, ସୁଭଦ୍ରା ଗୌଡ଼, ନୟନୀ ଗୌଡ଼, ସୁଦାମ ଗୌଡ଼, ଶାରଳା ଗୌଡ଼, ଗୋଲାପୀ ଗୌଡ଼, ଅମଳା ଗୌଡ଼, ବିଶିନା ଗୌଡ଼ ପ୍ରମୁଖଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ପାଟପୁର ପୋଲିସ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚତ୍ ରଘୁନାଥଙ୍କ ମୃତଦେହ ଜବତ କରିଛି। ଏ ନେଇ ଥାନାରେ ନଂ.୧୦୨/୧୯ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି। ଗାଡ଼ି ଚାଳକ ଫେରାର ଥିବା ପୋଲିସ କହିଛି।