ତପ୍ତପାଣି ଘାଟିରେ ଓଲଟିଲା ପିକ୍‌ନିକ୍‌ ବସ୍‌ ଜଣେ ମୃତ, ୧୫ରୁ ଊର୍ଦ୍ଧ୍ୱ ଗୁରୁତର

ଦିଗପହଣ୍ଡି,୧୬ା୧୨(ଡି.ଏନ୍‌.ଏ.)- ଗଞ୍ଜାମ-ଗଜପତି ସୀମାନ୍ତ ତପ୍ତପାଣି ଘାଟି ହନୁମାନ ମନ୍ଦିର ନିକଟରେ ରବିବାର ରାତି ପ୍ରାୟ ସାଢେ ୭ଟାରେ ଏକ ପିକ୍‌ନିକ୍‌ ବସ୍‌ (ନଂ.ଓଡି୨୫ବି-୧୯୯୯) ବାଇକକୁ ଧକ୍କାଦେଇ ଓଲଟି ପଡିଛି। ଏଥିରେ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଥିବାବେଳେ ବସ୍‌ରେ ଥିବା ୧୫ରୁ ଊର୍ଦ୍ଧ୍ୱ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ପାଟପୁର ଥାନା ଘାସିଆମ୍ବ ଗ୍ରାମର ଅନୁଜ ମଣ୍ଡଳ।
ପ୍ରକାଶ ଯେ, ଅନୁଜ ତାଙ୍କ ସମ୍ପର୍କୀୟ ଶଣ୍ଢୁ ମଣ୍ଡଳଙ୍କ ସହ ବାଇକ (ନଂ. ଓଡି୦୭ବି-୩୨୫୬) ଯୋଗେ ଘାଟିରୁ ଓହ୍ଲାଉଥିବାବେଳେ ପିକ୍‌ନିକ୍‌ ବସ୍‌ଟି ପଛରେ ଆସୁଥିଲା। ହନୁମାନ ମନ୍ଦିର ନିକଟରେ ବସ୍‌ଟି ବାଇକ୍‌କୁ ଧକ୍କା ଦେଇ ଘାଟି ତଳକୁ ଓଲଟି ପଡିଥିଲା। ଘଟଣାସ୍ଥଳରେ ଅନୁଜଙ୍କର ମୃତ୍ୟୁ ଘଟିଥିବାବେଳେ ବାଇକ ପଛରେ ବସିଥିବା ଶଣ୍ଢୁ ଆହତ ହୋଇଛନ୍ତି। ସାନଖେମୁଣ୍ଡି ଦମକଳ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚତ୍ ଆହତଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ନୟାଗଡରୁ ଏହି ପିକ୍‌ନିକ୍‌ ବସ୍‌ଟି ଯାଇଥିବା ଜଣାପଡିଛି। ଏଥିରେ ୨୫ରୁ ଊର୍ଦ୍ଧ୍ୱ ଲୋକ ଥିଲେ। ଆହତଙ୍କ ମଧ୍ୟରେ ନୟାଗଡ ଥାନା ବାଲୁଗଁାର ସୀମାରାଣୀ ସ୍ବାଇଁ, ଇଟାମାଟିର ଦୀପକ କୁମାର ସାଠୁଆ, ଓଲ୍ଡ ଟାଉନର ଇଶାନ୍ତ ପ୍ରସାଦ ଦାସ, ସିନ୍ଧକାରୀର ରଜକ୍‌ ମହମ୍ମଦ, ଖଣ୍ଡପଡାର ରାକେଶ ପଣ୍ଡା, ସିନ୍ଧୁରିଆର ସୋହେଲ୍‌ ଖାନ୍‌, ଏସ୍‌. କେ. ସମିମ୍‌, ହରିପୁରର ଚିନ୍ମୟ ଦାସ, ମୁକ୍ତାପୁରର ଦୀପକ ଦାସ, ନୟାଗଡର ରାହୁଲ କୁମାର ସୁବୁଦ୍ଧି, ଦୁର୍ଗାପ୍ରସାଦର ରଶ୍ମିରଞ୍ଜନ ମହାପାତ୍ର, ଭୀମାପଡାର ଅଲିମ୍‌ ଖାନ୍‌, ନୟାଗଡର ହିମାଂଶୁ ଶେଖର ମହାନ୍ତି ରହିଛନ୍ତି। ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଆହତମାନଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପାଟପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଦୁର୍ଘଟଣାଗ୍ରସ୍ତ ବସ୍‌ ଓ ବାଇକକୁ ଜବତ କରିଛି। ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ଅନୁଜଙ୍କ ମୃତଦେହ ପୋଲିସ ଜବତ କରିଛି। ସୋମବାର ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ ମେଡିକାଲ ପଠାଯିବ ବୋଲି ଆଇଆଇସି ଅଜୟ କୁମାର ବାରିକ ସୂଚନା ଦେଇଛନ୍ତି।