ତପ୍ତପାଣି ଘାଟିରେ ଓଲଟିଲା ପିକ୍‌ନିକ୍‌ ବସ୍‌ ୩୫ରୁ ଊଦ୍ଧର୍‌ବ ଆହତ, ୧୯ ଗୁରୁତର

ଦିଗପହଣ୍ଡି,(ଡି.ଏନ୍‌.ଏ.)/ପାଟପୁର,୨୪ା୧୨- ଗଞ୍ଜାମ-ଗଜପତି ଜିଲା ସୀମାନ୍ତ ପର୍ଯ୍ୟଟନ କ୍ଷେତ୍ର ତପ୍ତପାଣି ଘାଟିରେ ସୋମବାର ରାତି ପ୍ରାୟ ୮ଟାରେ ଏକ ପିକ୍‌ନିକ୍‌ ବସ୍‌ ଓଲଟି ପଡିବାରୁ ୩୫ରୁ ଊଦ୍ଧର୍‌ବ ଛାତ୍ରୀଛାତ୍ର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୯ ଜଣ ଗୁରୁତର ଅଛନ୍ତି।
ପ୍ରକାଶ ଯେ, କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟର ଏମ୍‌ସିଏ ବିଭାଗ ଛାତ୍ରୀଛାତ୍ରମାନେ ପିକ୍‌ନିକ୍‌ କରିବା ପାଇଁ ଏକ ଘରୋଇ ବସ୍‌ (ନଂ.ଓ ଆର୦୨ଏଡବ୍ଲ୍ୟ୩୬୬୩)ରେ ତପ୍ତପାଣିକୁ ଆସିଥିଲେ। ପିକନିକ୍‌ ସାରି ସମସ୍ତେ ବସ୍‌ରେ ବ୍ରହ୍ମପୁର ଦେଇ କଟକ ଅଭିମୁଖେ ଫେରୁଥିବା ବେଳେ ତପ୍ତପାଣି ଘାଟିରେ ବସ୍‌ଟି ନିୟନ୍ତ୍ରଣ ହରାଇ ରାସ୍ତାକଡ଼କୁ ଓଲଟି ପଡିଥିଲା। ସ୍ଥାନୀୟ ଲୋକେ ସାନ ଖେମୁଣ୍ଡି ଅଗ୍ନିଶମ ବାହିନୀ ସହାୟତାରେ ଆହତଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତରଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ପାଟପୁର ଥାନା ଆଇଆଇସି ଅଜୟ କୁମାର ବାରିକ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚତ୍ ଡାକ୍ତରଙ୍କୁ ଆହତଙ୍କ ଅବସ୍ଥା ପଚାରି ବୁଝିଥିଲେ।