ତନ୍ତ୍ରସାଧକ ଭାଇର ନାରକୀୟ କାଣ୍ଡ ଘଟଣାର ପର୍ଦ୍ଦାଫାଶ : ଭଉଣୀର ତଣ୍ଟି କାଟି ବଳି ଦେଇଥିଲେ

ବଲାଙ୍ଗୀର ଅଫିସ/କଣ୍ଟାବାଞ୍ଜି/ବଙ୍ଗୋମୁଣ୍ଡା, ୭ା୧ (ଡି.ଏନ୍‌.ଏ.): ନିଜ ମାମୁପୁଅ ଭାଇକୁ ଅପହରଣ କରି ତଣ୍ଟି କାଟି ବଳି ଦେବାର ୧୪ ମାସ ପରେ ଅଭିଯୁକ୍ତ ତନ୍ତ୍ରସାଧକ ଜେଲରୁ ଜାମିନରେ ବାହାରି ସମାନ ଢଙ୍ଗରେ ନିଜ ସାନ ଭଉଣୀକୁ ଅପହରଣ କରି ତଣ୍ଟି କାଟି ବଳି ଦେଇଥିଲେ। ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ସାଲେବରଟ ଗଁାରେ ଘଟିଥିବା ଏହି ନାରକୀୟ କାଣ୍ଡ ଉପରୁ ପରଦା ହଟିଛି।
ଏସ୍‌ପି ସନ୍ଦୀପ ମାଡକର ମଙ୍ଗଳବାର ସିନ୍ଧେକେଲା ଥାନାରେ ଏକ ଖବରଦାତା ସମ୍ମିଳନୀରେ ଏହି ବଳି ଘଟଣା ସମ୍ପର୍କରେ ସବିଶେଷ ସୂଚନା ଦେଇଛନ୍ତି। ତନ୍ତ୍ରଗୁରୁ କୁଞ୍ଜ ରଣାଙ୍କ କୋପରୁ ରକ୍ଷା ପାଇବା ପାଇଁ ଅଭିଯୁକ୍ତ ଶୋଭାବନ ରଣା (୨୮) ନିଜ ସାନଭଉଣୀ ଜନନୀଙ୍କୁ ଚକାଗୁଜିଆ ସଂରକ୍ଷିତ ଜଙ୍ଗଲ ଅନ୍ତର୍ଗତ ଗୁଜିଆ ପାହାଡ ଉପରେ ବଳି ଦେଇଥିଲେ। ଶୋଭାବନଙ୍କ ସ୍ବୀକାରୋକ୍ତି ଓ ସୂଚନା ଅନୁଯାୟୀ ପୋଲିସ ଟିମ୍‌ ଗୁଜିଆ ପାହାଡ ଉପରୁ ଜନନୀଙ୍କ ମୁଣ୍ଡ ଗଣ୍ଡି ଅଲଗା ମୃତଦେହକୁ ଉଦ୍ଧାର କରିଛି। ବଳିରେ ବ୍ୟବହୃତ ସିନ୍ଦୂର, ଛୁରି ଓ ଜନନୀଙ୍କ ବସ୍ତ୍ର ଜବତ କରାଯାଇଥିବା ଏସପି ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତ ଶୋଭାବନ ରଣାଙ୍କୁ ମଙ୍ଗଳବାର ଅପରାହ୍ଣରେ କୋର୍ଟଚାଲାଣ କରାଯାଇଛି।