ତଦନ୍ତକାରୀ ଏସ୍‌ଆଇ ନିଲମ୍ବିତ

ଅନୁଗୋଳ ଅଫିସ୍‌, ୩୧।୧ – ଅନୁଗୋଳ ଥାନା ଲିଙ୍ଗରାଯୋଡ଼ିର ବାପି ଓରଫ୍‌ ସତ୍ୟଜିତ୍‌ ପ୍ରଧାନ(୩୩)ଙ୍କଠାରୁ ୩ ବନ୍ଧୁକ ଓ ୯ ଜୀବନ୍ତ ଗୁଳି ଜବତ କରାଯିବା ମାମଲାର ଠିକ୍‌ ଭାବେ ତଦନ୍ତ କରି ନ ଥିବାରୁ ତଦନ୍ତକାରୀ ଅଧିକାରୀ ଅନୁଗୋଳ ଥାନା ଏସ୍‌ଆଇ ଅରକ୍ଷିତ ସେଠୀଙ୍କୁ ଗୁରୁବାର କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ମାମଲା ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ କୋର୍ଟଙ୍କୁ ଦିଆଯାଇ ନ ଥିବାରୁ ଗିରଫ ହେବାର ମାତ୍ର ୩୦ ମିନିଟ୍‌ ମଧ୍ୟରେ ଅଭିଯୁକ୍ତ ବାପିଙ୍କୁ ବେଲ୍‌ ମିଳିଯାଇଥିବା ନେଇ ସାଧାରଣରେ ଜୋରଦାର ଚର୍ଚ୍ଚା ହେବା ପରେ ଉତ୍ତର-କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ଓ ଏସ୍‌ପି ଜଗମୋହନ ମୀନା ବୁଧବାର ରାତିରେ ଥାନାରେ ପହଞ୍ଚି ମାମଲାର ଯାଞ୍ଚ କରିଥିଲେ। ଅଭିଯୁକ୍ତଙ୍କ ପ୍ରତି କୋହଳ ମନୋଭାବ ଦେଖାଯାଇଥିବା ଜଣାପଡ଼ିବା ପରେ ଆଇଜିଙ୍କ ନିର୍ଦ୍ଦେଶକ୍ରମେ ଏସ୍‌ପି ମୀନା ସମ୍ପୃକ୍ତ ଏସ୍‌ଆଇ ସେଠୀଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଛେଳିଆପଡ଼ାରେ ଥିବା ରିଜର୍ଭ କାର୍ଯ୍ୟାଳୟରେ ପ୍ରତିଦିନ ରିପୋର୍ଟ କରିବାକୁ ସେଠୀଙ୍କୁ ଏସ୍‌ପି ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।
ପ୍ରକାଶ ଯେ, ଅଭିଯୁକ୍ତ ବାପିଙ୍କୁ ପୋଲିସ ଗତ ରବିବାରଠାରୁ ଉଠାଇ ଆଣିଥିଲେ ହେଁ ମଙ୍ଗଳବାର ଗିରଫ କରି କୋର୍ଟଚାଲାଣ କରିଥିଲା। ତେବେ କୋର୍ଟଚାଲାଣର ମାତ୍ର ୩୦ ମିନିଟ୍‌ ମଧ୍ୟରେ ତାଙ୍କୁ ଜାମିନ ମିଳିଯିବାରୁ ପୋଲିସର ତଦନ୍ତ ପ୍ରକ୍ରିୟାକୁ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଥିଲା। ଏପରି କି ଅଭିଯୁକ୍ତଙ୍କୁ ୩ ଦିନ ଧରି ଥାନାରେ ରଖାଯାଇ ମାମଲା ରଫାଦଫା ପାଇଁ ଉଦ୍ୟମ କରାଯାଇଥିବା ନେଇ ଚର୍ଚ୍ଚା ବି ଜୋର୍‌ ଧରିଥିଲା।