Categories: ଅନୁଗୋଳ

ତଥ୍ୟ ସର୍ବଜନୀକରଣର ଭୂମିକା ଶୀର୍ଷକ କର୍ମଶାଳା: ପ୍ରଦୂଷଣ କମ୍‌ କର, ରେଟିଂ ନିଅ

ଅନୁଗୋଳ ଅଫିସ, ୧୦।୭-ଅନୁଗୋଳ ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କାର୍ଯ୍ୟାଳୟରେ ‘ପରିବେଶ ପାରଦର୍ଶିତା ବୃଦ୍ଧି କରିବାରେ ତଥ୍ୟ ସର୍ବଜନୀକରଣର ଭୂମିକା’ ଶୀର୍ଷକ ଏକ କର୍ମଶାଳା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅନୁଗୋଳ ଆଞ୍ଚଳିକ ଅଧିକାରୀ ଡ. ଅନୁପ କୁମାର ମଲ୍ଲିକ ଏଥିରେ ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ ସେ କହିଥିଲେ ଯେ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ୱାରା ୧୭ ବିଭାଗର ଶିଳ୍ପାନୁଷ୍ଠାନ ପାଇଁ ଆରମ୍ଭ କରାଯାଇଥିବା ଷ୍ଟାର ରେଟିଂ କାର୍ଯ୍ୟକ୍ରମ ଶିଳାନୁଷ୍ଠାନମାନଙ୍କ ପରିବେଶ ପାରଦର୍ଶିତା ବୃଦ୍ଧି ଦିଗରେ ଏକ ସୁସ୍ଥ ଓ ପ୍ରତିଦ୍ୱନ୍ଦ୍ୱିତାମୂଳକ ପରିବେଶ ସୃଷ୍ଟି କରିବାରେ ସହାୟକ ହୋଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟର ୧୦୬ ଶିଳ୍ପାନୁଷ୍ଠାନ ଭାଗ ନେଇଥିବାବେଳେ ଅନୁଗୋଳ ଶିଳ୍ପାଞ୍ଚଳରୁ ୧୩ ଶିଳ୍ପାନୁଷ୍ଠାନ ସାମିଲ ହୋଇଛି। ଉକ୍ତ କମ୍ପାନୀଗୁଡ଼ିକରେ ଉନ୍ନତ ପରିବେଶ ପାରଦର୍ଶିତା ସହ ବାୟୁ ପ୍ରଦୂଷଣଜନିତ ସମସ୍ୟାର ମୁକାବିଲା ଦିଗରେ ଷ୍ଟାର ରେଟିଂ ମୁଖ୍ୟ ଭୂମିକା ଗ୍ରହଣ କରିବ ବୋଲି ଆଶା କରାଯାଇଛି। ଏହାଦ୍ୱାରା ବିଭିନ୍ନ ଶିଳ୍ପାନୁଷ୍ଠାନରେ ପ୍ରଦୂଷଣ ରୋକି ହେବ। ଯେଉଁ ଶିଳ୍ପାନୁଷ୍ଠାନ ପ୍ରଦୂଷଣ କମ୍‌ କରିବ, ସେମାନଙ୍କୁ ରେଟିଂ ପ୍ରଦାନ କରାଯିବ। ଫଳରେ ରେଟିଂ ପାଇବାକୁ ଭବିଷ୍ୟତରେ ଶିଳ୍ପାନୁଷ୍ଠାନ ଗୁଡ଼ିକ ମଧ୍ୟରେ ପ୍ରତିଯୋଗିତା ଦେଖିବାକୁ ମିଳିବ। ସେହିପରି ଷ୍ଟାର ରେଟିଂ କାର୍ଯ୍ୟକ୍ରମକୁ ନେଇ ଶିଳ୍ପାନୁଷ୍ଠାନଗୁଡ଼ିକ କି କି ଆହ୍ବାନର ସମ୍ମୁଖୀନ ହେଉଛି ଓ ଏହି କାର୍ଯ୍ୟକ୍ରମ କିପରି ତାହାର ପରିବେଶ ପାରଦର୍ଶିତା ବୃଦ୍ଧି କରିପାରିବ ସେ ସମ୍ପର୍କରେ ଟାଟା ଷ୍ଟିଲ ବିଏସ୍‌ଏଲ୍‌ ଢେଙ୍କାନାଳର ସହକାରୀ ମୁଖ୍ୟ ପ୍ରବନ୍ଧକ ସଞ୍ଜୀବ କୁମାର ପାଲ ବକ୍ତବ୍ୟ ରଖିଥିଲେ।
ରାଜ୍ୟ ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଶିକାଗୋ ବିଶ୍ୱବିଦ୍ୟାଳୟ ଏନର୍ଜି ପଲିସି ଇନ୍‌ଷ୍ଟିଚ୍ୟୁଟ ଓ ଟାଟା ସେଣ୍ଟର ଫର ଡେଭଲପମେଣ୍ଟର ମିଳିତ ଆନୁକୂଲ୍ୟରେ ଏହି କର୍ମଶାଳା ଆୟୋଜିତ ହୋଇଥିଲା। ସହକାରୀ ପରିବେଶ ଯନ୍ତ୍ରୀ ରାକେଶ କୁମାର ମହାନ୍ତି ସ୍ବାଗତ ଭାଷଣ ଦେଇଥିବାବେଳେ ଏନର୍ଜି ପଲିସି ଇନ୍‌ଷ୍ଟିଚ୍ୟୁଟର ବରିଷ୍ଠ ପଲୀସି ଆସୋସିଏଟ୍‌ ସତ୍ୟନାରାୟଣ ମହାପାତ୍ର ଷ୍ଟାର ରେଟିଙ୍ଗର ଭିନ୍ନ ଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ।