ତତ୍କାଳୀନ ମହାକାଳପଡ଼ା ଆଇଆଇସିଙ୍କୁ ମିଳିଲା ଜାମିନ

କଟକ ଅଫିସ, ୩ା୩: କେନ୍ଦ୍ରାପଡ଼ା ଜିଲା ମହାକାଳପଡା ଥାନା ହାଜତରେ ଜଣେ ଅଭିଯୁକ୍ତଙ୍କ ମୃତ୍ୟୁ ଘଟଣାରେ ତତ୍କାଳୀନ ଆଇଆଇସି ଶ୍ୟାମଘନ ବେହେରାଙ୍କୁ ସୋମବାର ହାଇକୋର୍ଟରୁ ଜାମିନ ମିଳିଛି। ତେବେ ନିମ୍ନ ଅଦାଲତ ସର୍ତ୍ତ ଧାର୍ଯ୍ୟ କରିବେ ବୋଲି ହାଇକୋର୍ଟ ନିଜ ରାୟରେ ଜଣାଇଛନ୍ତି। ମାମଲାର ଶୁଣାଣି ବେଳେ ପ୍ରତ୍ୟେକ ଥର ସେ ନିମ୍ନ ଅଦାଲତରେ ହାଜର ହେବେ ବୋଲି ରାୟରେ ଉଲ୍ଲେଖ କରାଯାଇଛି। ବିଚାରପତି ଜଷ୍ଟିସ୍‌ ବିଭୁ ପ୍ରସାଦ ରାଉତରାୟ ଏହି ମାମଲାର ଶୁଣାଣି କରିଥିଲେ।
ମାମଲାର ବିବରଣୀରୁ ପ୍ରକାଶ, ମୋବାଇଲ ଚୋରି ଅଭିଯୋଗରେ ମହାକାଳପଡା ଥାନା ଅଧୀନ ବାଲଣା ଗ୍ରାମର ଅବିନାଶ ପାଇଟାଳ ଓରଫ୍‌ ମୂଷା ନାମକ ଯୁବକଙ୍କୁ ୨୦୧୮ ଅଗଷ୍ଟ ୨୫ ତାରିଖରେ ତତ୍କାଳୀନ ଆଇଆଇସି ଶ୍ୟାମଘନ ଗିରଫ କରିଥିଲେ। ଏହାର ପରଦିନ ଥାନା ନିକଟ ଏକ ନିର୍ମାଣାଧୀନ ଘରୁ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ମିଳିଥିଲା। ପୋଲିସ ତାଙ୍କୁ ପିଟିପିଟି ମାରିଦେବା ପରେ ରଶିରେ ଝୁଲାଇ ଦେଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଥିଲେ।