ତତଲା ତାଓ୍ବାରେ ଓଡିଶା: ଆହୁରି ତତେଇବ, ୧୧ ଜିଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ

ଭୁବନେଶ୍ୱର,୨୫ା୫(ବ୍ୟୁରୋ): ବାତ୍ୟା ପରେ ପ୍ରଚଣ୍ଡ ଗ୍ରୀଷ୍ମ ଓ ଗଳୁଗୁଳି ସମଗ୍ର ରାଜ୍ୟକୁ ଅସ୍ତବ୍ୟସ୍ତ କରିଛି। ଉପକୂଳ ଠାରୁ ଆରମ୍ଭ କରି ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡିଶା ତାତିରେ ଛଟପଟ ହେଉଛି। ଆହୁରି ୫ ଦିନ ଯାଏ ତାରିରୁ ନିସ୍ତାର ନାହିଁ। ଆଭ୍ୟନ୍ତରୀଣ ଓଡିଶାରେ ପାରଦ ୪୫ ଡିଗ୍ରୀ ସେଲସିୟସ ଉପରକୁ ଚାଲି ଯାଇଛି। ଏପରିକି ଅଧିକାଂଶ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୪ ଡିଗ୍ରୀ ସେଲସିୟସ ଉପରକୁ ଉଠି ଯାଇଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଟିଟିଲାଗଡରେ ସର୍ବୋଚ୍ଚ ତାପମାତ୍ରା ୪୫.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ଭବାନୀପାଟଣା ୪୪.୮, ତାଳଚେର ୪୪.୯, ବଲାଙ୍ଗୀର ୪୪.୮, ଝାରସୁଗୁଡା ୪୪.୨, ଅନୁଗୋଳ ୪୩.୫, ସମ୍ବଲପୁର ୪୩.୩, ହୀରାକୁଦ ୪୩.୩, ବୌଦ୍ଧ ୪୩.୨, ସୋନପୁର ୪୨.୨, ମାଲକାନଗିରି ୪୨, ସୁନ୍ଦରଗଡ ୪୧.୪ ଏବଂ ଫୁଲବାଣୀରେ ସର୍ବୋଚ୍ଚ ତାପମାତ୍ରା ୪୦.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ରାଜ୍ୟରେ ଆହୁରି ପ୍ରବଳ ଗ୍ରୀଷ୍ମ ପ୍ରବାହ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୋନପୁର, ବୌଦ୍ଧ, ସମ୍ବଲପୁର, ଝାରସୁଗୁଡା, ଦେବଗଡ, ବରଗଡ, ବଲାଙ୍ଗୀର, ନୂଆପଡା, ମାଲକାନଗିରି, କଳାହାଣ୍ଡି ଏବଂ ଅନୁଗୋଳ ଜିଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେବ ବୋଲି ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟି ରଖି ଉକ୍ତ ଜିଲାଗୁଡିକରେ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତା ୨୯ ତାରିଖ ଯାଏ ଆଭ୍ୟନ୍ତରୀଣ ଏବଂ ପଶ୍ଚିମ ଓଡିଶା ଜିଲାଗୁଡିକରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ ସତର୍କ କରିଛି। ଘରୁ ପଦାକୁ ବାହାରିବା ବେଳେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ସମୟରେ ବୃଦ୍ଧ, ଅସୁସ୍ଥ ବ୍ୟକ୍ତି ଏବଂ ଶିଶୁମାନେ ପଦାକୁ ନ ବାହାରିବାକୁ ସତର୍କ କରାଯାଇଛି।