Categories: ଜାତୀୟ

ତଟ ସୁରକ୍ଷା ଜାହାଜରେ ନିଆଁ

ବିଶାଖାପାଟଣା, ୧୩ା୮(ଆଇଏଏନ୍‌ଏସ୍‌): ବିଶାଖାପାଟଣା ଉପକୂଳରେ ଥିବା ତଟ ସୁରକ୍ଷା ବାହିନୀର ଏକ ଜାହାଜରେ ସୋମବାର ବଡ଼ ଧରଣର ଅଗ୍ନିକାଣ୍ଡ ହୋଇଛି। ଜାହାଜର ଜଣେ କର୍ମଚାରୀ ନିଖୋଜ ହୋଇଥିବାବେଳେ ଅନ୍ୟ ୨୮ ଜଣଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରୁ ପୋଡ଼ିଯାଇ ଆହତ ହୋଇଥିବା ୧୬ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୮ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି। ପୂର୍ବାହ୍ନ ୧୧ଟା ୩୦ ମିନିଟ ସମୟରେ କୋଷ୍ଟାଲ ଜାଗୁଆର ଜାହାଜରେ ବିସ୍ଫୋରଣ ଶବ୍ଦ ହେବା ସହ ପ୍ରବଳ ଧୂଆଁ ଉଠୁଥିବା ଦେଖାଯାଇଥିଲା। ଏଥିରେ ଥିବା ସମସ୍ତ ୨୯ କର୍ମଚାରୀ ଜୀବନ ବଞ୍ଚାଇବାକୁ ସମୁଦ୍ର ମଧ୍ୟକୁ ଡେଇଁପଡିଥିଲେ। ଉଦ୍ଧାର କାର୍ଯ୍ୟରେ ଆଇସିଜିଏସ୍‌ ରାନି ରଶମୋନି, ଆଇସିଜିଏସ୍‌ ସମୁଦ୍ର ପହେରେଦାର, ତଟସୁରକ୍ଷା ବାହିନୀର ହେଲିକପ୍ଟର ଏବଂ ବୋଟ୍‌ଗୁଡ଼ିକ ସାମିଲ ହୋଇଥିଲେ। ୨୮ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ଦୀର୍ଘ ସମୟ ଉଦ୍ୟମ ସତ୍ତ୍ୱେ ଜଣଙ୍କର ପତ୍ତା ମିଳୁ ନ ଥିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ଜାହାଜର ଡିଜେଲ ବକ୍ସରେ ବିସ୍ଫୋରଣ ହେବାରୁ ଏହି ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ଅନୁଧ୍ୟାନରୁ ଜଣାପଡିଛି। ଜାହାଜର ୭୦ ଭାଗ ପୋଡ଼ିଯାଇଛି।

Share