ଢେଙ୍କାନାଳ କଲେଜ ପିଜି ପରୀକ୍ଷା ଫଳ ପ୍ରକାଶିତ: ବାଜି ମାରିଲେ ଝିଅ

ଢେଙ୍କାନାଳ ଅଫିସ, ୨୮।୬-ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ, ବାଣିଜ୍ୟ ଏବଂ ଇତିହାସ ସ୍ନାତକୋତ୍ତର (ପିଜି) ବିଭାଗ ପରୀକ୍ଷା ଫଳ ଗୁରୁବାର ମଧ୍ୟାହ୍ନରେ ପ୍ରକାଶିତ ହୋଇଛି। ଚଳିତ ବର୍ଷ ୩ ବିଭାଗରେ ମୋଟ ୬୦ଜଣ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୪୮ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ପାସ୍‌ ହାର ରହିଛି ୮୧.୩୫%। ସମସ୍ତ ବିଭାଗରେ ପୁଅଙ୍କୁ ପଛରେ ପକାଇ ବାଜି ମାରିଛନ୍ତି ଝିଅ।
ଉଦ୍ଭିଦ ବିଜ୍ଞାନରେ ଫନୀ ମହାନ୍ତି ୮୬.୧୧%, ବାଣିଜ୍ୟରେ ଲିପ୍ସା ମହାପାତ୍ର ୭୪.୪୫% ଏବଂ ଇତିହାସରେ ସାଇକ୍ରିଷ୍ଣା ମାନିନୀ ପତି ୭୩.୫୦% ମାର୍କ ରଖି କଲେଜ ଟପ୍ପର ହୋଇଛନ୍ତି। ଉଦ୍ଭିଦ ବିଜ୍ଞାନରେ ପରୀକ୍ଷା ଦେଇଥିବା ସମସ୍ତ ୧୨ଜଣ ଛାତ୍ରୀଛାତ୍ର ପାସ୍‌ କରିଛନ୍ତି। ପାସ୍‌ ହାର ୧୦୦% ରହିଛି। ସେହିପରି ବାଣିଜ୍ୟରେ ୨୨ରୁ ୧୯ଜଣ ପାସ୍‌ କରିଛନ୍ତି। ପାସ୍‌ ହାର ୮୬.୩୬% ରହିଛି ା ଇତିହାସରେ ୨୬ ଜଣ ପରୀକ୍ଷା ଦେଇଥିଲେ। ତନ୍ମଧ୍ୟରୁ ୧୭ଜଣ ପାସ୍‌ କରିଛନ୍ତି। ୮ଜଣ ଅକୃତକାର୍ଯ୍ୟ ହୋଇଥିବାବେଳେ ଜଣଙ୍କ ପରୀକ୍ଷାଫଳ ପ୍ରକାଶ ପାଇନାହିଁ। ପାସ୍‌ ହାର ରହିଛି ୬୮%।
କଲେଜ ଅଧ୍ୟକ୍ଷା ଡ. ରଶ୍ମି ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ଜୟଦେବ ପାଢ଼ୀ, ଉପନିୟନ୍ତ୍ରକ ରମେଶ ଚନ୍ଦ୍ର ବେହେରା, ଦେବାଶିଷ ମହାନ୍ତି, ଅଧ୍ୟାପକ ରଣଜିତ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ପରୀକ୍ଷା ଫଳ ଘୋଷଣା କରିଥିଲେ।