ଢିଲା ପ୍ରଶାସନ, ଅମାନିଆ ହିତାଧିକାରୀ

ବଲାଙ୍ଗୀର ଅଫିସ, ୮ା୪: କରୋନା ସଂକ୍ରମଣକୁ କାବୁ କରିବା ଦିଗରେ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦିଆଯାଉଛି। ଲକ୍‌ଡାଉନ୍‌ ଘୋଷଣା କରି ଲୋକଙ୍କୁ ଘରେ ରହିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବାରମ୍ବାର ଜନସାଧାରଣଙ୍କୁ ନିବେଦନ କରୁଛନ୍ତି । ଲକ୍‌ଡାଉନ୍‌ ଓ ସାମାଜିକ ଦୂରତ୍ୱ କଡାକଡି ପାଳନ କରିବାକୁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ମାତ୍ର ପ୍ରଶାସନିକ ଅଧିକାରୀ ଓ କର୍ମଚାରୀମାନେ ଲୋକଙ୍କ ଅସମ୍ଭାଳ ଭିଡ ପରିଚାଳନା କରିବାରେ ଫେଲ୍‌ ମାରୁଥିବା ଦେଖା ଯାଉଛି । ଲୋକେ ମଧ୍ୟ ଅମାନିଆ ହୋଇ ସବୁ ନିୟମ କାନୁନ ଉଲଂଘନ କରୁଥିବା ଦେଖା ଯାଉଛି । ଏଭଳି ସ୍ଥିତିରେ କରୋନା ସଂକ୍ରମଣ ରୋକିବା କଷ୍ଟକର ହୋଇପଡିଲାଣି ।ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଭୁକ୍ତ ହିତାଧିକାରୀଙ୍କୁ କରୋନା ସହାୟତା ରାଶି ଭାବେ ୧ ହଜାର ଟଙ୍କା ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ଘୋଷଣା କରିଥିଲେ । ଏହି ସହାୟତା ରାଶିକୁ ଉଚିତ୍‌ ଭାବେ ବଣ୍ଟନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ଏହାକୁ ସୁଚାରୁରୂପେ କାର୍ଯ୍ୟକାରୀ କରିବାରେ ସ୍ଥାନୀୟ ପ୍ରଶାସନ ବିଫଳ ହୋଇଥିବା ଦେଖା ଯାଇଛି । ବଲାଙ୍ଗୀର ମୁନିସିପାଲିଟି ୱାର୍ଡ ନମ୍ବର ୨୦ ଅନ୍ତର୍ଗତ ଇନ୍ଦିରାନଗରଠାରେ ପିଡିଏସ୍‌ ହିତାଧିକାରୀଙ୍କୁ ୧ ହଜାର ଟଙ୍କା ବଣ୍ଟନ କରାଯାଉଥିବା ନେଇ ବୁଧବାର ପୂର୍ବାହ୍ନ ପ୍ରାୟ ୧୦ଟାରେ ଖବର ପ୍ରଚାର ହେବା ପରେ ଶତାଧିକ ହିତାଧିକାରୀ ଓ ଜନସାଧାରଣ ସେଠାରେ ରୁଣ୍ଡ ହୋଇଥିଲେ । ଉପଯୁକ୍ତ ସୂଚନାର ଅଭାବ ଏବଂ ପରିଚାଳନାଗତ ତ୍ରୁଟି ଯୋଗୁଁ ସେଠାରେ ଲୋକଙ୍କ ଭିତରେ ସାମାଜିକ ଦୂରତ୍ୱ ଉଲଂଘନ ହେବା ସହ ଲୋକଙ୍କ ମଧ୍ୟରେ ଠେଲାପେଲା ଓ ହୋହଲ୍ଲା ଆରମ୍ଭ ହୋଇଯାଇଥିଲା । ମୁନିସିପାଲିଟି କର୍ମଚାରୀମାନେ ମାତ୍ର ଅଳ୍ପ କେତେଜଣଙ୍କୁ ଟଙ୍କା ବଣ୍ଟନ କରିଥିବାବେଳେ ଶତାଧିକ ହିତାଧିକାରୀ ସେଠାକୁ ଧସେଇ ପଶିଥିଲେ । ପରିସ୍ଥିତି ଅସମ୍ଭାଳ ହେବାରୁ ଟାଉନ୍‌ ଥାନା ପୋଲିସକୁ ଖବର ଦିଆଯାଇଥିଲା । ଏହାପରେ ପୋଲିସ ସେଠାକୁ ପହଞ୍ଚତ୍ ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲା।ଲୋକଙ୍କ ଅସମ୍ଭାଳ ଭିଡ ଓ ଅମାନିଆଙ୍କ ଉଶୃଙ୍ଖଳତା ଦେଖି ଶେଷରେ ବାଧ୍ୟ ହୋଇ ସହାୟତା ରାଶି ବଣ୍ଟନ କାର୍ଯ୍ୟକ୍ରମକୁ ବନ୍ଦ କରିବାକୁ ପଡିଥିଲା । ଏହାପରେ ଦୀର୍ଘ ସମୟ ଧରି ସେଠାରେ ଲୋକ ଅଟକି ରହି ଘରୁ ଫେରିଥିଲେ । ଏନେଇ ମୁନିସିପାଲିଟି ନିର୍ବାହୀ ଅଧିକାରୀ ବିପିନ ଦୀପଙ୍କୁ ପଚାରିବାରୁ ରାଜ୍ୟ ସରକାରଙ୍କ ଘୋଷିତ ୧ ହଜାର ଟଙ୍କାର କରୋନା ସହାୟତା ରାଶି ବଣ୍ଟନ ପାଇଁ ପର୍ଯ୍ୟାୟକ୍ରମେ ୫୦ ଜଣଙ୍କୁ ଡକାଯାଇଥିଲା ।ମାତ୍ର ଶତାଧିକ ଲୋକ ସେଠାକୁ ଆସି ଟଙ୍କା ମାଗିବାରୁ ପରିସ୍ଥିତି ଅସମ୍ଭାଳ ହୋଇପଡିଲା । ଜିଲାପାଳ ଓ ଉପଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ସହାୟତା ରାଶି ବଣ୍ଟନ କାର୍ଯ୍ୟକ୍ରମକୁ ବନ୍ଦ କରିବାକୁ ପଡିଲା ବୋଲି ସେ କହିଛନ୍ତି।