ଡ୍ୟୁଟିରେ ଥିବା ବେଳେ ବୃଦ୍ଧାଙ୍କୁ ଖୁଆଇବା ଘଟଣା: ମାଲକାନଗିରି ଏସ୍‌ଆଇ ଶୁଭଶ୍ରୀଙ୍କ ପ୍ରଶଂସାରେ ଶତମୁଖ ମେଗାଷ୍ଟାର ଚିରଞ୍ଜୀବୀ, ଭିଡିଓ କଲ୍‌ ଯୋଗେ କଥା ହେଲେ

ଭୁବନେଶ୍ୱର,୧୨।୫(ବ୍ୟୁରୋ): ମେଗାଷ୍ଟାର ଚିରଞ୍ଜୀବୀ ଡ୍ୟୁଟିରେ ଥିବା ସମୟରେ ଜଣେ ବୃଦ୍ଧ ମହିଳାଙ୍କୁ ଖାଇବାକୁ ଦେଇଥିବାରୁ ମାଲକାନଗିରି ସବ୍‌-ଇନ୍ସପେକ୍ଟର ଶୁଭଶ୍ରୀ ନାୟକଙ୍କୁ ପ୍ରଶଂସା କରିଛନ୍ତି। ବିଶ୍ୱ ମାତୃ ଦିବସ ଉପଲକ୍ଷେ ଚିରଞ୍ଜୀବୀ ଏକ ଭିଡିଓ ଶେୟାର କରି ଶୁଭଶ୍ରୀ ତାଙ୍କ ମା’ଙ୍କୁ ମନେ ପକାଇ ଦେଇଥିବା କହିଥିଲେ। ହେଲେ ମଙ୍ଗଳବାର ସେ ସିଧାସଳଖ ଭିଡିଓ କଲ୍‌ ମାଧ୍ୟରେ ଓଡ଼ିଶାର ଏହି କରୋନା ଯୋଦ୍ଧାଙ୍କ ସହ କଥା ହୋଇଛନ୍ତି। ଏହି ସମୟର ଏକ ଭିଡିଓକୁ ସେ ଟୁଇଟ୍‌ କରିଥିବା ଦେଖାଯାଇଛି। ନିଜର ଭାବେ ଜନସାଧାରଣଙ୍କ ଯତ୍ନ ନେଉଥିବା ପୋଲିସ ଅଧିକାରୀଙ୍କ ସହ କଥା ହୋଇ ଖୁସି ଲାଗିଥିବା ସେ କହିଛନ୍ତି।

ପ୍ରକାଶ ଯୋଗ୍ୟ, ଶୁଭଶ୍ରୀ ଡ୍ୟୁଟିରେ ଥିବା ବେଳେ ଜଣେ ଭୋକିଲା ବୃଦ୍ଧାଙ୍କୁ ନିଜ ହାତରେ ଖାଦ୍ୟ ଖୁଆଇଥିଲେ। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତାଙ୍କ ପାଖକୁ ରାଜ୍ୟ ତଥା ବାହାରୁ ପ୍ରଶଂସା ବାର୍ତ୍ତା ଆସିବାରେ ଲାଗିଛି। ଏହାକୁ ଦେଖିବା ପରେ ଚିରଞ୍ଜୀବୀ କହିଥିଲେ ଯେ ଏହି ମହିଳା ପୋଲିସ ଅଧିକାରୀ ତାଙ୍କ ମା’ଙ୍କୁ ମନେ ପକାଇଦେଇଛନ୍ତି। ତାଙ୍କ ଭିତରେ ଥିବା ମାନବିକତା ଏବଂ ମାତୃତ୍ୱ ସ୍ନେହ ପ୍ରଭାବିତ କରିଥିବା ଚିରଞ୍ଜୀବୀ ଟୁଇଟ୍‌ କରି କହିଥିଲେ।