ଡେଲିମାର୍କେଟ ଭିଡ ବଢାଉଛି ସଂକ୍ରମଣ ଭୟ

ବଲାଙ୍ଗୀର ଅଫିସ, ୬ା୪: ପଶ୍ଚିମ ଓଡିଶାର କଳାହାଣ୍ଡି ଜିଲାରେ କରୋନା ସଂକ୍ରମିତ ଯୁବକଙ୍କୁ ଚିହ୍ନଟ କରାଯାଇଛି। ଏହା ଜଣାପଡିବା ପରେ ପଶ୍ଚିମ ଓଡିଶାର ବିଭିନ୍ନ ଜିଲାରେ କରୋନା ସଂକ୍ରମଣ ଆତଙ୍କ ଦେଖାଦେଇଛି। ଅଧିକାଂଶ ଲୋକେ ଭୟଭୀତ ହୋଇପଡିଛନ୍ତି। ଅପରପକ୍ଷରେ ପୋଲିସ ଟିମ୍‌ ଏହି ଲକ୍‌ଡାଉନ୍‌ ନିୟମକୁ କଡାକଡି ପାଳନ କରିଛି। ତେବେ କେତେକ ଲକ୍‌ଡାଉନ୍‌ ନିୟମକାନୁନ୍‌ ମାନୁ ନ ଥିବା ଦେଖାଯାଉଛି। ବିଶେଷ କରି ବଲାଙ୍ଗୀର ସହରର ଡେଲିମାର୍କେଟ, କୋଶଳ କଳାମଣ୍ଡଳ ପଡିଆକୁ ସ୍ଥାନାନ୍ତରିତ ହୋଇଥିବା ଡେଲିମାର୍କେଟ, ବିଭିନ୍ନ କିରାନା ଦୋକାନରେ ଅଯଥା ଭିଡ ପରିଲକ୍ଷିତ ହେଉଛି। ଏଠାରେ ସାମାଜିକ ଦୂରତ୍ୱକୁ ପାଳନ କରାଯାଉନାହିଁ। ଡେଲିମାର୍କେଟ ଲୋକେ ବଜାର କରିବାବେଳେ ସାମାଜିକ ଦୂରତ୍ୱ ବଜାୟ ରହୁ ନ ଥିବା ଦେଖାଯାଉଛି। ଡେଲିମାର୍କେଟ ପଛପଟ କିରାନା ଦୋକାନ, ସମ୍ମୁଖ ମିଠା ଦୋକାନ, ଖାଉଟୀ ସମବାୟ କେନ୍ଦ୍ର, କଳାମଣ୍ଡଳ ପରିବା ମାର୍କେଟରେ ସାମାଜିକ ଦୂରତ୍ୱ ପାଳନ କରାଯାଉନାହିଁ। ବିକ୍ରମ ଛକରୁ ରେଲୱେ ଷ୍ଟେଶନ୍‌ ରାସ୍ତାରେ ଥିବା କିରାନା ଦୋକାନଗୁଡିକରେ ଭିଡ ପରିଲକ୍ଷିତ ହେଉଛି। ଲକଡାଉନ୍‌କୁ ଆଖି ଆଗରେ ରଖି ସକାଳ ୭ଟାରୁ ଦିନ ସାଢ଼େ ୧୨ଟା ପର୍ଯ୍ୟନ୍ତ ଡେଲିମାର୍କେଟ, କିରାନା ଦୋକାନ୍‌, ଓମ୍‌ଫେଡ ଦୋକାନ ଖୋଲିବାକୁ ନିୟମ କରାଯାଇଛି। ତେବେ ଏହି ସମୟରେ କେତେକ ଲୋକ ପ୍ରତ୍ୟହ ଘରୁ ବାହାରି ବଜାର କରିବା ବାହାନା କରୁଛନ୍ତି। ଏଭଳି ପରିସ୍ଥିତିରେ ପ୍ରଶାସନ ପକ୍ଷରୁ ଆଗକୁ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିଷ୍ପତ୍ତି ହୋଇଛି। ଜିଲା ପ୍ରଶାସନ ପକ୍ଷରୁ ଏନେଇ ଏକ ବିଜ୍ଞପ୍ତି ପ୍ରକାଶ କରାଯିବା ସହ ଜିଲାପାଳ ଅରିନ୍ଦମ ଡାକୁଆ ଓ ଏସ୍‌ପି ସନ୍ଦୀପ ମାଡକର ଏକ ଭିଡିଓ ମ୍ୟାସେଜରେ ଜିଲାବାସୀଙ୍କ ପାଇଁ ବାର୍ତ୍ତା ଦେଇଛନ୍ତି। ଜିଲାର ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ, ଦୋକାନୀ, ଉଠା ଦୋକାନୀ, ବିଭିନ୍ନ ମାର୍କେଟର କାର୍ଯ୍ୟକର୍ତ୍ତା, ବଣିକ ସଂଘ ଓ ଚେମ୍ବର ଅଫ୍‌ କମର୍ସଙ୍କୁ ବିଜ୍ଞପ୍ତି ମାଧ୍ୟମରେ ଜଣାଇ ଦିଆଯାଇଛି। ଆପିଡେମିକ ଡିଜିଜ୍‌ ଆକ୍ଟ ୧୮୯୭ ଓ ଓଡିଶା କୋଭିଡ୍‌ -୧୯ ରେଗୁଲେସନ୍‌ ୨୦୨୦ ଆଇନ ଅନୁଯାୟୀ ଯଦି କୌଣସି ଦୋକାନୀ, ବ୍ୟବସାୟୀ ଓ ସମ୍ପୃକ୍ତ କର୍ମକର୍ତ୍ତା କୌଣସି ଦୋକାନ ଆଗରେ ଗ୍ରାହକମାନଙ୍କୁ ବିକ୍ରୟ କାର୍ଯ୍ୟ ସମାପନ ବେଳେ ସାମାଜିକ ଦୂରତ୍ୱ ଅନ୍ୟୁନ୍ୟ ୨ ମିଟରରୁ ଉର୍ଦ୍ଧ୍ୱ ବଜାୟ ରଖିବାରେ ଅସମର୍ଥ ହୁଅନ୍ତି ତେବେ ସେହି ଦୋକାନକୁ ସିଲ୍‌ କରିଦିଆଯିବା ପାଇଁ ତୁରନ୍ତ ପଦକ୍ଷେପ ନିଆଯିବ। ଏଥିସହିତ ଉକ୍ତ ଦୋକାନୀଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିଭଳି ଯଦି ସମ୍ପୂର୍ଣ୍ଣ ବଜାରରେ ଯଦି ସାମାଜିକ ଦୂରତ୍ୱ ବଜାୟ ରହିବାରେ ଅସମର୍ଥ ଦୁଅନ୍ତି ତେବେ ସମ୍ପୂର୍ଣ୍ଣ ବଜାର ବା ହାଟକୁ ସିଲ କରି ଦିଆଯିବା ସହ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କେହି ଅବାଧ୍ୟ ଓ ବିଶୃଙ୍ଖଳା ସୃଷ୍ଟି କଲେ ତାଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ ଓ ଏସ୍‌ପିଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।