ଡିସେମ୍ବର ୨ରୁ ‘ମିଶନ ଇନ୍ଦ୍ରଧନୁଷ୍‌ ୨.୦’: ୧୧ ରୋଗ ପାଇଁ ହେବ ଟିକାକରଣ

ଭୁବନେଶ୍ୱର, ୯ା୧୧(ବ୍ୟୁରୋ): ଶିଶୁଙ୍କୁ ବିଭିନ୍ନ ମାରାତ୍ମକ ରୋଗରୁ ରକ୍ଷା କରିବା ଲାଗି ସରକାର ବ୍ୟାପକ ଟିକାକରଣ ଉପରେ ଗୁରୁତ୍ୱ ଦେଉଛନ୍ତି। ମସ୍ତିଷ୍କ ଜ୍ୱର ନିରାକରଣ ପାଇଁ ନଭେମ୍ବର ୧୧ରୁ ଟିକାକରଣ ଓ ଇଣ୍ଟେନ୍ସିିଫାଇଡ୍‌ ‘ମିଶନ ଇନ୍ଦ୍ରଧନୁଷ ୨.୦’ କାର୍ଯ୍ୟକ୍ରମ ଡିସେମ୍ବର ୨ରୁ ଆରମ୍ଭ ହେବ। ଏହି କାର୍ଯ୍ୟକ୍ରମରେ ୧୧ଟି ରୋଗ ପାଇଁ ଟିକାକରଣ ହେବ।
ସୂଚନାଯୋଗ୍ୟ, ରାଜ୍ୟରେ ଟିକାକରଣ କାର୍ଯ୍ୟର ଧାର୍ଯ୍ୟ ଲକ୍ଷ୍ୟ ୯୦% ରହିଥିବାବେଳେ ୮୭% ସଫଳତା ମିଳିସାରିଛି। ଏନେଇ ବ୍ୟାପକ ସଚେତନତା ସହ ସମ୍ପୃକ୍ତ ବିଭାଗ ଓ କର୍ମଚାରୀମାନଙ୍କୁ ନେଇ ଓରିଏଣ୍ଟେଶନ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଯେଉଁ ସ୍ଥାନରେ ଆଶାକର୍ମୀ ନାହାନ୍ତି, ସେଠାରେ ଅଙ୍ଗନଓ୍ବାଡ଼ି କର୍ମୀମାନଙ୍କୁ ନିୟୋଜିତ କରାଯିବ। ସରକାରୀ ସ୍କୁଲଗୁଡ଼ିକ ସହ ଘରୋଇ ଓ ମିଶନ ସ୍କୁଲଗୁଡ଼ିକୁ ମଧ୍ୟ ସାମିଲ କରାଯିବ। ଶୁକ୍ରବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଡା. ପ୍ରମୋଦ କୁମାର ମେହେର୍ଦ୍ଦାଙ୍କ ଅଧ୍ୟକ୍ଷତାରେ ଟିକାକରଣ ଅଭିଯାନ ଓ ମିଶନ ଇନ୍ଦ୍ରଧନୁଷ ୨.୦କୁ ବ୍ୟାପକ କରିବା ଦିଗରେ ରାଜ୍ୟ ଟାସ୍କ ଫୋର୍ସର ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶକ ଶାଳିନୀ ପଣ୍ଡିତ, ୱାର୍ଲଡ୍‌ ହେଲ୍‌ଥ ଅର୍ଗାନାଇଜେଶନ୍‌ ଓଡ଼ିଶାର ଆଞ୍ଚଳିକ ଟିମ୍‌-ଲିଡର ଡା. ନୀହାର ରଞ୍ଜନ ରାୟ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଉଚ୍ଚପଦସ୍ଥ ଅଧିକାରୀମାନେ ଉପସ୍ଥିତ ଥିଲେ।