‘ଡିଜିଟାଲ ମାଧ୍ୟମ ଗଣତନ୍ତ୍ରରେ ସହଭାଗିତା ବୃଦ୍ଧି କରିବ’

ଭୁବନେଶ୍ୱର,୧୮ା୧(ବ୍ୟୁରୋ): ରାଜ୍ୟ ସରକାରଙ୍କ ୫-ଟି ମନ୍ତ୍ର ମଧ୍ୟରେ ଟେକ୍ନୋଲୋଜି(ବୈଷୟିକ ବିଦ୍ୟା) ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଡିଜିଟାଲ ମାଧ୍ୟମ ଦ୍ୱାରା ଲୋକମାନେ ଗଣତନ୍ତ୍ରରେ ସିଧାସଳଖ ଭାଗ ନେଇପାରିବେ। ତେଣୁ ଗଣତନ୍ତ୍ରରେ ଡିଜିଟାଲ ଗୁରୁତ୍ୱ ଅନୁଭବ କରି ରାଜ୍ୟ ସରକାର ସମସ୍ତ ପଦକ୍ଷେପ ଗ୍ରହଣ କରୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। କମ୍ପ୍ୟୁଟର ସୋସାଇଟି ଅଫ୍‌ ଇଣ୍ଡିଆ(ସିଏସ୍‌ଆଇ)ର ୫୩ ତମ ବାର୍ଷିକ କନଭେନ୍‌ଶନରେ ଶୁକ୍ରବାର ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ଇ-ରତ୍ନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ନବୀନ କହିଛନ୍ତି ଯେ, ‘ଡିଜିଟାଲ ଡେମୋକ୍ରାସି-ଆଇଟି ଫର ଚେଞ୍ଜ’ ବର୍ତ୍ତମାନ ଗୁରୁତ୍ୱପୂର୍ଣ୍ଣ ବିଷୟ। ଏହା ବର୍ତ୍ତମାନ ଏବଂ ଭବିଷ୍ୟତର ମଧ୍ୟ ଆବଶ୍ୟକତା। ଏହି ମାଧ୍ୟମରେ ଜନଗଣଙ୍କୁ ବ୍ୟବସ୍ଥା ଏବଂ ପ୍ରଶାସନିକ ପ୍ରକ୍ରିୟାରେ ଭାଗୀଦାର କରାଇଥାଏ। ଏହା ବ୍ୟବସ୍ଥାରେ ଅଧିକ ସ୍ବଚ୍ଛତା ଆଣିଥାଏ। ଭାରତରେ ଦୈନିକ ବହୁ ପରିମାଣର ଡାଟା ବ୍ୟବହାର କରାଯାଇଥାଏ। ଏପରି କି ‘ଡାଟା ରିଚ୍‌ ଏବଂ ଡାଟା ପୁଅର’ ମଧ୍ୟରେ ତାରତମ୍ୟ ହ୍ରାସ ପାଇବାରେ ଲାଗିଛି। ସାମାଜିକ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଡିଜିଟାଲାଇଜେଶନ୍‌ ଅଧିକ ତଥ୍ୟ ଯୋଗାଇ ପାରୁଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ସେହିଭଳି ଡିଜିଟାଲ ଗଣତନ୍ତ୍ର ସାମାଜିକ, ଅର୍ଥନୈତିକ ଓ ସାଂସ୍କୃତିକ କ୍ଷେତ୍ରରେ ସମସ୍ତଙ୍କୁ ନିଜକୁ ବ୍ୟକ୍ତ କରିବାର ସମାନ ସୁଯୋଗ ଦେଉଛି। ବର୍ତ୍ତମାନ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଡିଜିଟାଲ ଏକ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା। ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକ୍ରମରେ ଏହାକୁ ଯଥେଷ୍ଟ ଗୁରୁତ୍ୱ ଦିଆଯାଉଛି। ଏହା ସହାୟତାରେ ଶ୍ରମ ପରିଚାଳନା, ସ୍ବାସ୍ଥ୍ୟ କ୍ଷେତ୍ର, ଦକ୍ଷତା ବିକାଶ, ବିପର୍ଯ୍ୟୟ ପରିଚାଳନା ଇତ୍ୟାଦି କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା, କନ୍ଧମାଳ ଏମ୍‌ପି ଅଚ୍ୟୁତ ସାମନ୍ତ, ଆଇଟି ସଚିବ ମନୋଜ ମିଶ୍ର ଏବଂ ସିଏସ୍‌ଆଇର କନଭେନର ମାନସ ରଞ୍ଜନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ।