ଡିଇଓଙ୍କ ଅଚାନକ ସ୍କୁଲ ପରିଦର୍ଶନ: ୧୨ ଶିକ୍ଷକଙ୍କ ଦରମା ବନ୍ଦ

ରଣପୁର/ନୟାଗଡ଼ ଅଫିସ,୨୧ା୯(ସ୍ବ.ପ୍ର.): ଜିଲା ଶିକ୍ଷା ଅଧିକାରୀ (ଡିଇଓ) ଶିବଶଙ୍କର ପ୍ରଧାନ ଶୁକ୍ରବାର ରଣପୁର ଓ ନୟାଗଡ଼ ବ୍ଲକର ବିଭିନ୍ନ ସ୍କୁଲ ଅଚାନକ ପରିଦର୍ଶନ କରି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧୨ ଶିକ୍ଷୟିତ୍ରୀଶିକ୍ଷକଙ୍କ ଦରମା ବନ୍ଦ କରିଛନ୍ତି। କେତେଜଣ ଶିକ୍ଷୟିତ୍ରୀଶିକ୍ଷକ ପୂର୍ବାହ୍ନ ୧୦ଟା ୫ମିନିଟ ସୁଦ୍ଧା ସ୍କୁଲରେ ପହଞ୍ଚତ୍ ନ ଥିଲେ। ଆଉ କେତେଜଣ ସ୍କୁଲରେ ଉପସ୍ଥିତ ଥିଲେ ମଧ୍ୟ ମୋବାଇଲରେ କଥା ହେଉଥିଲେ। ଆଖୁପଦର ନୂଆ ପ୍ରାଥମିକ ସ୍କୁଲର ଅନିଲ ପାଇକରାୟ, ବିଲଗାଡିଆ ମନ୍ଦାକିନୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଆନନ୍ଦ ଚରଣ ପ୍ରଧାନ, ବାଉଁଶଗଡ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ରଶ୍ମିରେଖାଙ୍କ ଦରମା ବନ୍ଦ ହୋଇଛି। ଦର୍ପନାରାୟଣପୁର ଜନତା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୩ଜଣ ଶିକ୍ଷୟତ୍ରୀଶିକ୍ଷକ ଉପସ୍ଥିତ ଥିବାବେଳେ ୬ଜଣ ଅନୁପସ୍ଥିତ ଥିଲେ। ଏକକାଳୀନ ୬ଜଣ ଶିକ୍ଷକ ଛୁଟିରେ ରହିଥିବାରୁ ସେମାନଙ୍କ ଦରମା ବନ୍ଦ ହୋଇଥିବା ଜଣାପଡିଛି। ସେହିଭଳି ନୟାଗଡ଼ ବ୍ଲକ ମୁକ୍ତାପୁର ପ୍ରାଥମିକ ବିଦ୍ୟାଳୟର ୨ ଜଣ ଶିକ୍ଷକ ବିଳମ୍ବରେ ଆସିବାରୁ ସେମାନଙ୍କ ଦରମା ବନ୍ଦ କରାଯାଇଛି। ଜିଲା ଶିକ୍ଷା ଅଧିକାରୀ ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରୁଥିବାରୁ ବିଳମ୍ବରେ ଆସୁଥିବା ଶିକ୍ଷକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି।