ଡାହାଣୀ ସନ୍ଦେହରେ ମହିଳାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

ସୁନ୍ଦରଗଡ଼, ୧୭।୧ (ଡି.ଏନ୍‌.ଏ. )-ଆଦିବାସୀ ବହୁଳ ସୁନ୍ଦରଗଡ ଜିଲାରେ ଏବେ ମଧ୍ୟ ଗୁଣିଗାରେଡି ସନ୍ଦେହ ଲୋକଙ୍କ ମନରେ ବସାବାନ୍ଧିଛି। ଏହି କାରଣରୁ ଅନେକ ନିରୀହ ଜୀବନ ବଳି ପଡୁଛି। ବଣାଇ ଥାନା ଅନ୍ତର୍ଗତ ଟିକିରାପୋଷ ଗ୍ରାମରେ ଗୁରୁବାର ଡାହାଣୀ ସନ୍ଦେହରେ ଜଣେ ମହିଳାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି। ମୃତା ମହିଳାଙ୍କ ନାମ ବନ୍ଧନୀ ଓରାମ ଓ ତାଙ୍କ ଘର ଟିକାୟତପାଲି ଥାନା ଅନ୍ତର୍ଗତ ଚିକିଟିନାଳି ଗ୍ରାମରେ। ବୁଧବାର ସେ ନିଜ ଝିଅ ଘର ଟିକିରାପୋଷ ଆସିଥିଲେ। ରାତିରେ ଖାଇପିଇ ସମସ୍ତେ ନିଆଁ ପୋଉଁଥିବାବେଳେ ଏହି ସମୟରେ ଝିଅର ଦିଅର ରତିକାନ୍ତ ଓରାମ ପହଞ୍ଚି ପାଟିତୁଣ୍ଡ କରିଥିଲେ। ବନ୍ଧନୀଙ୍କୁ ଗାଳିକରି କହିଥିଲେ ତୁମେ ଗୁଣିଗାରେଡି କରି ଆମ ପରିବାରର କ୍ଷତି କରୁଛ। ଆମ ଭାଉଜଙ୍କୁ ମଧ୍ୟ ଗୁଣିଗାରେଡି ବିଦ୍ୟା ଶିଖାଉଛ। ତେଣୁ ତୁମକୁ ଶେଷ କରିଦେବି କହି ଏକ ଟାଙ୍ଗିଆରେ ତାଙ୍କୁ ହାଣି ଫେରାର୍‌ ହୋଇଯାଇଥିଲେ। ଏହି ସମୟରେ ପାଖରେ ଥିବା ଏକ ଦେଢବର୍ଷର ଶିଶୁ ମଧ୍ୟ ରତିକାନ୍ତଙ୍କ ଆକ୍ରମଣରେ ଆହତ ହୋଇଛନ୍ତି ା ତାଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ା ଖବରପାଇ ଗୁରୁବାର ସକାଳେ ବଣାଇ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଚଳାଇଛି। ବ୍ୟବଚ୍ଛେଦ ପାଇଁ ମୃତଦେହକୁ ପୋଲିସ ଡାକ୍ତରଖାନା ପଠାଇବା ସହ ତଦନ୍ତ ଆରମ୍ଭ କରିଛି ା ଘଟଣାସ୍ଥଳରୁ ପୋଲିସ ବ୍ୟବହୃତ ଟାଙ୍ଗିଆକୁ ଜବତ କରିଛି।