Categories: ଗଞ୍ଜାମ

ଡାଟୁମ୍‌ ଜମାକାରୀଙ୍କୁ ଟଙ୍କା ଫେରସ୍ତ ନିର୍ଦ୍ଦେଶ

ବ୍ରହ୍ମପୁର ଅଫିସ,୫ା୧୧-ଗଞ୍ଜାମ ଜିଲା ଉପଭୋକ୍ତା ବିକାଶ ସମାଧାନ ମଞ୍ଚ ପକ୍ଷରୁ ୬ ଜଣ ଜମାକାରୀଙ୍କୁ ତାଙ୍କ ଟଙ୍କା ଫେରସ୍ତ ପାଇଁ ଡାଟୁମ ଚିଟ୍‌ଫଣ୍ଡ ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି। ଜମାକାରୀଙ୍କୁ ତାଙ୍କ ମାଚ୍ୟୁରିଟି ରାଶି ସହିତ କ୍ଷତି ପୂରଣ ଓ ମମାଲାର ଖର୍ଚ୍ଚ ପ୍ରଦାନ କରିବାକୁ ମଞ୍ଚ ନିର୍ଦ୍ଦେଶ ଦେଇଛି ବୋଲି ଉପଭୋକ୍ତା ସୁରକ୍ଷା କେନ୍ଦ୍ର ଓକିଲ ସତୀଶ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ୨୦୦୯ରେ ଚିକିଟି ନିର୍ବାଚନ ମଣ୍ଡଳୀ ପାତ୍ରପୁର ବ୍ଲକ ସାମନ୍ତିଆପଲି ଗ୍ରାମର କେ.ଯଶୋଦା, ଜି.ଅଜୁରାମ, ଏନ୍‌.କମାମ୍ମା, କେ.ବାପଣମ୍ମା, ଡ଼ି. ସନ୍ତାମ୍ମା ଓ କେ. ଜମାଲୁ ଗୋଳନ୍ଥରା ଥାନା ଅଞ୍ଚଳରେ ଥିବା ଡାଟୁମ ଅର୍ଥ ଲଗାଣକାରୀ ସଂସ୍ଥାରେ ଟଙ୍କା ଜମା କରିଥିଲେ। ନିର୍ଦ୍ଧାରିତ ସମୟରେ ସଂସ୍ଥା ଜମାକାରୀଙ୍କ ଟଙ୍କା ଫେରସ୍ତ କରି ନ ଥିଲା। ପରେ ଜମାକାରୀମାନେ ବୈଦିକ ଅନୁଷ୍ଠାନର ସହାୟତା ନେଇଥିଲେ। ୨୦୧୭ରେ ଉପରୋକ୍ତ ମଞ୍ଚରେ ଏନେଇ ମାମଲା ରୁଜୁୁ ହୋଇଥିଲା। ମଞ୍ଚ ପକ୍ଷରୁ ଡାଟୁମ ସଂସ୍ଥାକୁ ହାଜର ପାଇଁ ନୋଟିସ ଜାରି ହୋଇଥିଲା। ହେଲେ ସଂସ୍ଥା ପକ୍ଷରୁ ପକ୍ଷ ରଖାଯାଇ ନ ଥିଲା। ଫଳରେ ମଞ୍ଚ ଏହି ମାମଲାର ଶୁଣାଣି କରି ଉକ୍ତ ଜମାକାରୀମାନଙ୍କୁ ତାଙ୍କ ମୂଳ ୨୭୦୦ ଟଙ୍କା ସହ ୮ ପ୍ରତିଶତ ସୁଧ, ୧ ହଜାର ଟଙ୍କା କ୍ଷତିପୂରଣ ଏବଂ ମାମଲା ପରିଚାଳନା ବାବଦକୁ ୫ ଶହ ଟଙ୍କା ପ୍ରଦାନ କରିବାକୁ ସଂସ୍ଥାର ମୁଖ୍ୟଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଆଇନଜୀବୀ ପାଣିଗ୍ରାହୀ କହିଛନ୍ତି। ଯଦି ଏହାର ଖିଲାପ ହୁଏ ତେବେ ମୋଟ ଟଙ୍କାର ବାର୍ଷିକ ୧୨ ପ୍ରତିଶତ ସୁଧ ପ୍ରଦାନ କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି ବୋଲି ସେ କହିଛନ୍ତି।