ଡାକ୍ତର ନିଯୁକ୍ତି ନ ହେଲେ ଅନଶନ ଚେତାବନୀ

ରାଜକନିକା, ୨୪।୧୨ (ଡି.ଏନ୍‌.ଏ.)

ରାଜକନିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଦୀର୍ଘଦିନ ହେବ ସ୍ଥାୟୀ ଡାକ୍ତର ନାହାନ୍ତି। ଫାର୍ମାସିଷ୍ଟ ଓ ଆୟୁଷ ଡାକ୍ତର ରୋଗୀ ସେବା କରୁଥିବା ବେଳେ ଜ୍ୱର, ଥଣ୍ଡା, ଝାଡ଼ାବାନ୍ତିକୁ ଛାଡ଼ିଲେ ଅନ୍ୟ ରୋଗୀମାନଙ୍କୁ ଆଳି, କେନ୍ଦ୍ରାପଡ଼ା ଓ କଟକକୁ ପଠାଇ ଦିଆଯାଉଥିବା ଦେଖାଯାଉଛି। ଫଳରେ କନିକାବାସୀ ସ୍ବାସ୍ଥ୍ୟସେବାରୁ ବଞ୍ଚତ୍ତ ହେଉଛନ୍ତି। ଏଣୁ ରାଜକନିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ଥାୟୀ ଡାକ୍ତର ନିଯୁକ୍ତି କରା ନଗଲେ ଆସନ୍ତା ୬ତାରିଖଠାରୁ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ବିଭିନ୍ନ ସଂଗଠନ ପକ୍ଷରୁ ଆମରଣ ଅନଶନ କରାଯିବ ବୋଲି ଚେତାବନୀ ଦିଆଯାଇଛି। ସୋମବାର କନିକାର ବିଭିନ୍ନ ସଂଗଠନର କର୍ମକର୍ତ୍ତାଙ୍କ ପକ୍ଷରୁ ବାଘବୁଦା ଠାରେ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଆସନ୍ତା ଜାନୁୟାରୀ ୫ ତାରିଖ ସୁଦ୍ଧା ଖାଲିପଡ଼ିଥିବା ୬ ଡାକ୍ତର ପଦବୀ ପୂରଣ କରା ନଗଲେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ୬ ତାରିଖଠାରୁ ଆମରଣ ଅନଶନ କରାଯିବା ପାଇଁ ଚେତାବନୀ ଦିଆଯାଇଛି। ଆବାହକ ଶ୍ରେୟଷ ଦାସଙ୍କ ସମେତ ସାମାଜିକ କର୍ମୀ ସଞ୍ଜୟ ବେହୁରା, ବରିଷ୍ଠ ନାଗରିକ ମଞ୍ଚ ସମ୍ପାଦକ ଗୁଣନିଧି ବଳ, ଶିକ୍ଷାବିତ୍‌ ମୁରଲୀଧର ନାୟକ, ଯୁବନେତା ଶୁକଦେବ ମଲ୍ଲିକ, ଅଭିନେତା ସୌମ୍ୟକାନ୍ତ ନାୟକ, ମହମ୍ମଦ ସରାଫତ ଅଲ୍ଲୀ, ଶାରଦା ପ୍ରସନ୍ନ ବିଶ୍ୱାଳ, ହୃଷୀକେଶ ସ୍ବାଇଁ ପ୍ରମୁଖ ଯୋଗଦେଇଥିଲେ। ତୁରନ୍ତ ରାଜକନିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନିଯୁକ୍ତି ଓ ଅନ୍ୟାନ୍ୟ ସମସ୍ୟାଗୁଡ଼ିକ ପ୍ରତି ଦୃଷ୍ଟି ଦେବାକୁ ୫ଟି ସଚିବ, କେନ୍ଦ୍ରାପଡ଼ା ଜିଲାପାଳ, ଏସ୍‌ପି, ସିଡିଏମଓଙ୍କ ଦୃଷ୍ଟି ଦେବାକୁ ଦାବି କରିଛନ୍ତି।