ଡାକ୍ତର କହି ବିବାହ ମହଙ୍ଗା ପଡ଼ିଲା: ମହିଳା ଡାକ୍ତରଙ୍କ ଅଭିଯୋଗ ପରେ ସ୍ବାମୀ ଗିରଫ

ଭୁବନେଶ୍ୱର, ୧୫-୧(ବ୍ୟୁରୋ): ଯୁକ୍ତ୨ ଫେଲ୍‌, ହେଲେ କହିଥିଲେ ଡାକ୍ତରୀ ପାସ୍‌। ଏପରି ମିଛ କହି ଜଣେ ମହିଳା ଡାକ୍ତରଙ୍କୁ ମଧ୍ୟ ବିବାହ କରିବା ଏବେ ଜଣେ ଯୁବକ ଓ ତାଙ୍କ ପରିବାର ଲୋକଙ୍କ ପାଇଁ ମହଙ୍ଗା ପଡ଼ିଛି। ବାହାଘରର ୫ଦିନ ପରେ ମହିଳା ଡାକ୍ତର ଜଣକ ସ୍ବାମୀଙ୍କ ଏପରି ମିଛ ଜାଣିବା ପରେ ମହିଳା ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ କେସ୍‌ ନଂ.୩/୨୦ ଦଫା ୪୯୮(ଏ), ୩୨୩, ୨୯୪, ୩୫୪, ୩୦୭, ୫୦୬, ୩୪ ଓ ଯୌତୁକ ଦଫା ଲଗାଇ ତଦନ୍ତ ଆରମ୍ଭ କରିଥିବାବେଳେ ମଙ୍ଗଳବାର ଅଭିଯୁକ୍ତ ସ୍ବାମୀ ଶୈଳେନ୍ଦୁ ବିଶ୍ୱାଳଙ୍କୁ ଗିରଫ କରିଛି।
ଅଭିଯୋଗ ଅନୁଯାୟୀ, ମହିଳା ଡାକ୍ତର ଜଣକ ଏମ୍‌ସରୁ ଏମ୍‌ବିବିଏସ୍‌ ପାସ୍‌ କରିଛନ୍ତି। ଗତବର୍ଷ ଖଣ୍ଡଗିରି ଡେଲ୍‌ଟା ଛକରେ ରହୁଥିବା ଜଳ ସମ୍ପଦ ବିଭାଗର ଜଣେ ପୂର୍ବତନ ମୁଖ୍ୟ ଯନ୍ତ୍ରୀଙ୍କ ପୁଅ ସହ ତାଙ୍କର ବାହାଘର ଲାଗିଥିଲା। ପୁଅ ଡାକ୍ତରୀ ପାସ୍‌ କରିଥିବା ନେଇ ମହିଳା ଡାକ୍ତରଙ୍କ ଘରେ ପ୍ରସ୍ତାବ ଦେଇଥିଲେ ଯନ୍ତ୍ରୀଙ୍କ ପରିବାର ଲୋକେ। ଏପ୍ରିଲ ୧୬ରେ ଚନ୍ଦ୍ରଶେଖରପୁରସ୍ଥିତ ଏକ ମନ୍ଦିରରେ ସେମାନଙ୍କର ନିର୍ବନ୍ଧ ହୋଇଥିଲା। କିଛିଦିନ ତଳେ ସେମାନଙ୍କର ବାହାଘର ମଧ୍ୟ ହେଲା। ହେଲେ ଚତୁର୍ଥୀ ପରଦିନ ସ୍ବାମୀଙ୍କ ହାବଭାବରୁ ସ୍ତ୍ରୀଙ୍କର ସନ୍ଦେହ ହୋଇଥିଲା। କେଉଁ ମେଡିକାଲ କଲେଜରେ ପାଠ ପଢ଼ୁଥିଲ ଓ ଡାକ୍ତରୀ ପାଠପଢ଼ା ବିଷୟରେ ସ୍ତ୍ରୀ ଆଲୋଚନା କଲାବେଳେ ସନ୍ତୋଷ ଜନକ ଉତ୍ତର ଦେଇପାରି ନ ଥିଲେ ସ୍ବାମୀ। ମିଛ କଥା କୁହାଯାଇ ବାହାଘର ହୋଇଥିବା ଜାଣିବା ପରେ ମହିଳା ଡାକ୍ତର ଜଣକ ଗତ ୧୧ ତାରିଖରେ ଥାନାରେ ଅଭିଯୋଗ କରିଥିଲେ।