Categories: ଗଞ୍ଜାମ

ଡାକ୍ତର, କର୍ମଚାରୀଙ୍କ ନାଁରେ ମାମଲା

ବ୍ରହ୍ମପୁର ଅଫିସ,୨୭ା୪- ବ୍ରହ୍ମପୁର  ନୂଆ ବସଷ୍ଟାଣ୍ଡ ରୋଡରେ ଥିବା ଏକ ଘରୋଇ ନର୍ସିଂହୋମରେ ଜଣେ ରୋଗୀଙ୍କୁ ମାଡ଼ ମରାଯିବା ସହ ତାଙ୍କ ସୁନାଚେନ ଛଡ଼ାଇ ନିଆଯାଇଥିବା ବୈଦ୍ୟନାଥପୁର ଥାନାରେ ଅଭିଯୋଗ ହୋଇଛି। ନୟାଗଡ଼ରୁ ଚିିକିତ୍ସା ପାଇଁ ଆସିଥିବା ସୀମାଞ୍ଚଳ ତ୍ରିପାଠୀ ଏହି ଅଭିଯୋଗ କରିଛନ୍ତି। ପୋଲିସ ଏ ନେଇ ନଂ. ୮୬/୧୯ରେ ଡାକ୍ତର ଓ ନର୍ସିଂହୋମ କର୍ମଚାରୀଙ୍କ ବିରୋଧରେ  ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।    ପ୍ରକାଶ ଯେ, ସୀମାଞ୍ଚଳ ଗୁରୁବାର ସକାଳେ ଚିକିତ୍ସା ପାଇଁ ମିଶ୍ର ନର୍ସିଂହୋମକୁ ଆସିଥିଲେ। ୪୦୦ ଟଙ୍କା ପୈଠ କରି ନର୍ସିଂହୋମରୁ ଏକ ଟିକେଟ ନେଇଥିଲେ। ସନ୍ଧ୍ୟା ୫ଟାରେ ଡ଼ାକ୍ତର ଦେଖିବେ ବୋଲି ସମୟ ଦିଆଯାଇଥିଲା। ହେଲେ କୌଣସି ଅସୁବିଧା ଯୋଗୁ ସୀମାଞ୍ଚଳ ବିଳମ୍ବରେ ଅର୍ଥାତ୍‌ ସନ୍ଧ୍ୟା ୭ଟାରେ ଆସିବାରୁ ନର୍ସିଂହୋମରେ କାମ କରୁଥିବା ଆଟେଣ୍ଡାଣ୍ଟ୍‌ ଜଣକ ଡାକ୍ତର ଆଉ ଦେଖିପାରିବେନି ବୋଲି ତାଗିଦ୍‌ କରିଥିଲେ। ମୁଁ ଦୂରରୁ ଆସିଥିବା କହି ସୀମାଞ୍ଚଳ ଡ଼ାକ୍ତରଙ୍କୁ ସାକ୍ଷାତ କରିବାକୁ ଜିଦ୍‌ ଧରି ଚାମ୍ବର ଭିତରେ ପଶିଥିଲେ। ଡାକ୍ତର ମିଶ୍ର ତାଙ୍କୁ ଗାଳିଗୁଲଜ କରିବା ସହ କର୍ମଚାରୀମାନେ ମାରପିଟ୍‌ କରିଥିଲେ ବୋଲି ସୀମାଞ୍ଚଳ ଥାନାରେ ଅଭିଯୋଗ କରିଛନ୍ତି। ଏପରିକି ତାଙ୍କର ଏକ ସୁନା ଚେନ୍‌ ମଧ୍ୟ ଝାମ୍ପି ନେଇଛନ୍ତି ବୋଲି ସେ ଏତଲାରେ ଦର୍ଶାଇଛନ୍ତି।   ଉମା ଶଙ୍କର ମିଶ୍ରଙ୍କୁ ପଚାରିବାରୁ ଥାନାରେ ହୋଇଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା।  ନର୍ସିଂହୋମରେ ଅନ୍ୟ ଜଣେ ରୋଗୀଙ୍କୁ ଚିକିତ୍ସା କରୁଥିବା ବେଳେ ସୀମାଞ୍ଚଳ ଚାମ୍ବର ଭିତରକୁ ଜୋରଜବରଦସ୍ତ ପଶି ଆସି ଗାଳିଗୁଲଜ କରିଥିଲେ ବୋଲି ସେ କହିଛନ୍ତି।