ଡାକ୍ତରଙ୍କ ଅବହେଳାରୁ ଛାତ୍ରୀ ମୃତ୍ୟୁ ଅଭିଯୋଗ, କାର୍ଯ୍ୟାନୁଷ୍ଠାନ, କ୍ଷତିପୂରଣ ଦାବିରେ ଧାରଣା

ନୂଆପଡ଼ା,୧୮।୧୧(ମକାରୁ ବେମାଲ): ନୂଆପଡ଼ା ଜିଲା ବୋଡେନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଓ ନର୍ସଙ୍କ ଅବହେଳା ଯୋଗୁ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ ଆଣି ବୁଧବାର ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ମୃତଦେହ ରଖି ଧାରଣାରେ ବସିଥିଲେ।

ସୂଚନା ଅନୁଯାୟୀ, ବୋଡେନ ବ୍ଲକ ପାଟଦରା ଗାଁର ରାମଲାଲ ବାଗ ଓ ସୁନୀତା ବାଗଙ୍କ ୧୩ ବର୍ଷର ଝିଅ ପଦ୍ମନୀ ଗାଁ ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପଢୁଥିଲେ। ମଙ୍ଗଳବାର ସେ ଅସୁସ୍ଥ ଲାଗୁଛି କହି ସ୍କୁଲ ଯାଇ ନ ଥିଲେ। ବୁଧବାର ସକାଳେ ଏକ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ବୋଡେନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନ ଥିବାବେଳେ କାର୍ଯ୍ୟରତ ଥିବା ନର୍ସମାନେ ମଧ୍ୟ କୌଣସି ଚିକିତ୍ସା କରି ନ ଥିଲେ ା ଶେଷରେ ନିରୀହ ଛାତ୍ରୀଙ୍କ ଜୀବନ ଚାଳିଯାଇଥିଲା।

ଡାକ୍ତର ଓ ନର୍ସଙ୍କ ଅବହେଳା ଯୋଗୁ ଝିଅର ଜୀବନ ଚାଳିଗଲା ବୋଲି ପରିବାର ଅଭିଯୋଗ ଆଣି କାର୍ଯ୍ୟାନୁଷ୍ଠାନ ଓ କ୍ଷତିପୂରଣ ଦାବିରେ ସ୍ବାସ୍ଥ୍ୟକେନ୍ଦ୍ର ଗେଟ ସମ୍ମୁଖରେ ମୃତଦେହ ରଖି ଧାରଣାରେ ବସିଥିଲେ।

୫ଘଣ୍ଟା ପରେ ଖଡିଆଳ ଉପଖଣ୍ଡ ପୋଲିସ ଅଧିକାରୀ ଉପେନ୍ଦ୍ର ପ୍ରଧାନ, ବୋଡେନ ତହସିଲଦାର ସରିତା ଗୁପ୍ତା, ବୋଡେନ ଥାନା ଅଧିକାରୀ ପ୍ରତିମା ଡୁଙ୍ଗଡୁଙ୍ଗ ପହଞ୍ଚତ୍ ଧାରଣାକାରୀଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ ଧାରଣାକାରୀ ଚିକିତ୍ସାରେ ଅବହେଳା କରିଥିବା ଡାକ୍ତର ଓ ନର୍ସଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଆବଶ୍ୟକ ଡାକ୍ତର, ନର୍ସ ନିଯୁକ୍ତ ଓ ଆମ୍ବୁଲାନ୍ସ ଯୋଗାଇଦେବା ପାଇଁ ଦାବି କରିଥିଲେ। ଗୁରୁବାର ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଖୋଦ ବୋଡେନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପରିଦର୍ଶନରେ ଆସି ଘଟଣା ଉପରେ ତଦନ୍ତ କରିବେ। ଯେଉଁମାନେ କାର୍ଯ୍ୟରେ ଅବହେଳା କରିଛନ୍ତି ସେମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇ ରେଡ୍‌କ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ସହାୟତା ଦେଲା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ଧାରଣାରେ ପରିବାର ସହ କଂଗ୍ରେସ ନେତା କମଳ ଚରଣ ତାଣ୍ଡି, ପ୍ରମୋଦ ନାଗ, ସୌଦାଗର ସାହୁ, ରାଜେଶ ଅଗ୍ରୱାଲ, ବେଣୁଧର ଜଗତ, ରାଜେଶ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Share