ଡାକ୍ତରଙ୍କୁ ମାଡ଼ ମାରିବା ଘଟଣା: ୨ ଗିରଫ

ଠାକୁରମୁଣ୍ଡା,୨୭ା୯(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା କରଞ୍ଜିଆ ଉପଖଣ୍ଡ ଡାକ୍ତରଖାନାରେ ଗତ ୨୩ ତାରିଖରେ ଚିକିତ୍ସାଧୀନ ରୋଗୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା। ଉତ୍ତେଜିତ ରୋଗୀଙ୍କ ସମ୍ପର୍କୀୟମାନେ ଦାୟିତ୍ୱରେ ଥିବା ଡାକ୍ତରଙ୍କୁ ଠେଲାପେଲା କରିବା ସହ ଓ ମାଡ଼ ମାରିଥିବ ଅଭିଯୋଗ ହୋଇଥିଲା। ଏହି ଘଟଣାର ତଦନ୍ତ କରି କରଞ୍ଜିଆ ପୋଲିସ ମୃତ ମହିଳାଙ୍କ ପରିବାରର ୨ ଜଣଙ୍କୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି। ଉଲ୍ଲେଖଯୋଗ୍ୟ ଯେ, କରଞ୍ଜିଆ ଏନଏସି ଅନ୍ତର୍ଗତ ୬ ନମ୍ବର ଓ୍ବାର୍ଡର ଦିଲ୍ଲୀପ କୁମାର ସାହୁଙ୍କ ସ୍ତ୍ରୀ ମାନ୍ଦାକିନୀଙ୍କର ଚିକିତ୍ସାଧିନ ଅବସ୍ଥାରେ ଡାକ୍ତରଖାନାରେ ମୃତ୍ୟୁ ହୋଇଥିଲା। ମୃତ ମହିଳାଙ୍କ ସମ୍ପର୍କିୟମାନେ ଡା.ଲଷ୍ମୀଧର ମହାନ୍ତଙ୍କୁ ଠେଲାପେଲା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଏଥିନେଇ ଡାକ୍ତରମାନେ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଚଳାଇଛନ୍ତି। ଫଳରେ ରୋଗୀମାନେ ଚିକିତ୍ସା ସେବା ନ ପାଇ ଅନ୍ୟତ୍ର ପଳାଇ ଯାଉଛନ୍ତି। ଏହି ଡାକ୍ତରଖାନାରେ ୨୨ ଜଣ ଡାକ୍ତରଙ୍କ ଆବଶ୍ୟକତା ଥିବାବେଳେ ମାତ୍ର ୮ ଜଣ ଡାକ୍ତର ଅଛନ୍ତି। ଗଣ୍ଡଗୋଳ ପରେ ଡାକ୍ତରମାନେ ଜିଲାପାଳ, ଏସପିଙ୍କୁ ଭେଟିବାକୁ ବାରିପଦା ଯାଇଥିଲେ। ପ୍ରତ୍ୟେହ ୩୦୦ରୁ ଊଦ୍ଧର୍‌ବ ରୋଗୀ ଡାକ୍ତରଖାନାକୁ ଆସୁଥିବା ବେଳେ ୨ ଦିନ ହେବ ରୋଗୀମାନେ ଏହି ଡାକ୍ତରଖାନାକୁ ଆସୁନାହାନ୍ତି। ଅଘୋଷିତ କାର୍ଯ୍ୟ ବନ୍ଦ ଯୋଗୁଁ ପ୍ରସୂତି ଓ ରୋଗୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଡାକ୍ତରଙ୍କ ଅଭିଯୋଗ କ୍ରମେ ୨ ଜଣ ଗିରଫ ହୋଇଥିବା ବେଳେ ମୃତ ମହିଳାଙ୍କ ସ୍ବାମୀ ଦିଲ୍ଲୀପ କୁମାର ସାହୁ ଚିକିତ୍ସା ଅବହେଳାରୁ ତାଙ୍କ ସ୍ତ୍ରୀଙ୍କ ମୃତ୍ୟୁ ଘଟିଥିବା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।