ଡାକ୍ତରଖାନା ପରିଦର୍ଶନ, ଉନ୍ନୟନ କାର୍ଯ୍ୟ ସମୀକ୍ଷା

ପାଲଲହଡା,୫।୨(ଡି.ଏନ.ଏ.)- ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ କମିଶନର ତଥା ସଚିବ ଭାସ୍କର ଜ୍ୟୋତି ଶର୍ମା ଦିନିକିଆ ପାଲଲହଡା ଗସ୍ତରେ ଆସି ଉପଖଣ୍ଡ ଚିକିତ୍ସାଳୟ ପରିଦର୍ଶନ ସହ ବିଭିନ୍ନ ଗ୍ରାମକୁ ଯାଇ ଉନ୍ନୟନ କାର୍ଯ୍ୟ ବୁଲି ଦେଖିଛନ୍ତି। ପ୍ରଥମେ ପାଲଲହଡା ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚି ନିରାମୟ ଯୋଜନା ସମ୍ପର୍କରେ କମିଶନର ପଚାରି ବୁଝିବା ସହ ସବୁ ୱାର୍ଡ ବୁଲି ଦେଖିଥିଲେ। ପରେ ରୋଗୀ ଏବଂ ଉପଖଣ୍ଡ ଚିକିତ୍ସା ଅଧିକାରୀ ଜୟକୃଷ୍ଣ ନାୟକଙ୍କ ସହ ଆଲୋଚନା କରିଥିଲେ। ସେଠାରୁ ମୁକ୍ତାପୁର ଗ୍ରାମକୁ ଯାଇ ଅଙ୍ଗନଓ୍ବାଡି କେନ୍ଦ୍ର, ଶିଶୁଙ୍କୁ ଦିଆଯାଉଥିବା ଖାଦ୍ୟର ମାନ ଯାଞ୍ଚ କରିଥିଲେ। ସେହିପରି ମାଲ୍ୟଗିରି ସରକାରୀ ଉଚ୍ଚ ବିଦ୍ୟାଳୟକୁ ଯାଇ ସେଠାକାର ଅନ୍ତେବାସୀଙ୍କ ସହ ଆଲୋଚନା କରିଥିଲେ। ବିଦ୍ୟାଳୟ ବୁଲି ଦେଖିଲା ପରେ ଡାଲ ଗ୍ରାମରେ ଥିବା ପାଉଡି ଭୂୟଁା ଉନ୍ନୟନ ସଂସ୍ଥା (ପିବିଡିଏ)ର ଓପିଲିପି ଯୋଜନାରେ ଚାଷୀଙ୍କ ପକ୍ଷରୁ କରାଯାଇଥିବା କଦଳୀ ଚାଷ ଦେଖିବା ସହ ଚାଷୀଙ୍କ ସହିତ ଆଲୋଚନା କରିଥିଲେ। ସେଠାରୁ ଶିମିଳିପାଳ ଏବଂ ପେଚାମୁଣ୍ଡି ଗ୍ରାମକୁ ଯାଇ ଏଲଆଇ ପଏଣ୍ଟ ଏବଂ ସୌଭାଗ୍ୟ ଯୋଜନାରେ ଯୋଗାଇ ଦିଆଯାଇଥିବା ବିଦ୍ୟୁତ୍‌ ସଂଯୋଗ ସମ୍ପର୍କରେ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ଅପରାହ୍ନରେ କମିଶନର ପେଣ୍ଡେରାବସା ଗ୍ରାମରେ ପହଞ୍ଚି ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଭିନ୍ନକ୍ଷମମାନଙ୍କ ପାଇଁ ହେବାକୁ ଥିବା ପ୍ରସ୍ତାବିତ ଆବାସିକ ଭୋକେଶନାଲ ଟ୍ରେନିଂ ସେଣ୍ଟର ଜମି ବୁଲି ଦେଖିଥିଲେ। ପରେ ଖମାରର ଏକ ଛତୁଆ ପ୍ରସ୍ତୁତ କେନ୍ଦ୍ର ଏବଂ ସରକାରୀ ଖୁଚୁରା ବିକ୍ରୟ କେନ୍ଦ୍ର ପରିଦର୍ଶନ କରି ଅନୁଗୋଳ ଫେରି ଯାଇଥିଲେ। ଏହି କାର୍ଯ୍ୟକ୍ରମରେ ପାଲଲହଡା ଉପଜିଲାପାଳ ଅଜିତ କୁମାର ପ୍ରଧାନ, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅତୁଲ୍ୟ କୁମାର ଚମ୍ପତିରାୟ, ଯୋଗାଣ ନିରୀକ୍ଷକ ପିଣ୍ଟୁ ବେହେରା, ଜିଲା ସାମାଜିକ ସୁରକ୍ଷା ଅଧିକାରୀ ମାଧବ ଚନ୍ଦ୍ର ବରାଡ଼, ଜିଲା ମଙ୍ଗଳ ଅଧିକାରୀ ଚାରୁଲତା ମଲ୍ଲିକ, ବିଡିଓ ରବିନାରାୟଣ ମାଝି, ତହସିଲଦାର ସ୍ବାଗତ ଦାସ, ଭାରପ୍ରାପ୍ତ ପିବିଡିଏ ସ୍ବତନ୍ତ୍ର ଅଧିକାରୀ ତଥା ଅତିରିକ୍ତ ତହସିଲଦାର ସୁମନ ମିଞ୍ଜ, ଅତିରିକ୍ତ ବିଡିଓ ଏସ. ଲଲାଟେନ୍ଦୁ ନୈବେଦ୍ୟଙ୍କ ପ୍ରମୁଖ ବହୁ ଅଧିକାରୀ ସାମିଲ ଥିଲେ।