ଡାକ୍ତରଖାନାରେ ବିଦ୍ୟୁତ୍‌ ସମସ୍ୟା

କେନ୍ଦୁଝର,୨୧ା୪(ସ୍ବ.ପ୍ର.) କେନ୍ଦୁଝର ଜିଲା ମୁଖ୍ୟ ଡ଼ାକ୍ତରଖାନାରେ ବାରମ୍ବାର ବିଦ୍ୟୁତ ବିଭ୍ରାଟ ଯୋଗୁଁ ଅନେକ ସମୟରେ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ସୋମବାର ଏଭଳି ବିଦ୍ୟୁତ ସମସ୍ୟା ଦେଖାଦେବାରୁ ଟିକଟ କାଉଣ୍ଟରରେ ଟିକଟ ଦେବାରେ ସମସ୍ୟା ଉପୁଜି ଥିଲା। ଫଳରେ ଧାଡ଼ିରେ ଟିକଟ ପାଇଁ ଠିଆ ହୋଇଥିବା ରୋଗୀ ଓ ତାଙ୍କ ସମ୍ପର୍କୀୟମାନେ ବହୁ ଅସୁବିଧା ଭୋଗିଥିଲେ। ଏ ନେଇ ଅଭିଯୋଗ କଲେ ମଧ୍ୟ ଡାକ୍ତରଖାନାରେ ଶୁଣିବାକୁ କେହି ନ ଥିବାରୁ ରୋଗୀ ମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ ବୋଲି ଚିକିତ୍ସା ପାଇଁ ଆସି ଧାଡ଼ିରେ ଠିଆ ହୋଇଥିବା ପୁରୁଣା ସହରର ଦୀପକ ମହାରଣା କହିଛନ୍ତି। ପ୍ରବଳ ଗରମ ହେଉଥିବା ବେଳେ ବିଦ୍ୟୁତ ବିଭ୍ରାଟ ଯୋଗୁଁ ଚିକିତ୍ସା ଓ ୱାର୍ଡରେ ରୋଗୀ ସେବା ବ୍ୟାହତ ହେଉଥିବାରୁ ଏନେଇ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି।