ଡମ୍ପିଂୟାର୍ଡକୁ ବିରୋଧ, ଆବର୍ଜନା ବୋଝେଇ ଗାଡ଼ି ଅଟକ

ଉଦଳା,୬ା୩(ଡ଼ି.ଏନ୍‌.ଏ.)- ଉଦଳା ଏନଏସିରେ ଡମ୍ପିଂୟାର୍ଡକୁ ନେଇ ଦୀର୍ଘ ଦିନରୁ ବିବାଦ ଲାଗି ରହିଛି। ଫଳରେ ୧୨ଟି ୱାର୍ଡର ଆବର୍ଜନା କେଉଁଠି ପଡ଼ିବ ତାହାକୁ ନେଇ ବାରମ୍ବାର ଏନଏସିକୁ ନାକେଦମ୍‌ ହେବାକୁ ପଡ଼ିଛି ା ଗୁରୁବାର ପୁଣି ଏହି ଡମ୍ପିଂୟାର୍ଡକୁ ନେଇ ଉତ୍ତେଜନାମୂଳକ ପରିସ୍ଥିତି ଦେଖା ଦେଇଥିଲା। ଜଙ୍ଗଲରେ ଆବର୍ଜନା ପକାଇବାକୁ ଯାଇଥିବା ଗାଡ଼ିକୁ ସ୍ଥାନୀୟ ବାସିନ୍ଦା ଅଟକାଇବା ସହିତ ଅଳିଆ ପକାଇବାକୁ ବିରୋଧ କରିଥିଲେ। ଏଭଳି ଘଟଣା ଦେଖିବାକୁ ମିଳିଛି ଉଦଳା ବ୍ଲକ ଅଧିନ ଶ୍ମଶାନ କାଳୀ ମନ୍ଦିର ଛକ ନିକଟରେ ା ପୂର୍ବାହ୍ନ ୧୦ଟା ସମୟରେ ଏନଏସି ପକ୍ଷରୁ ଆବର୍ଜନା ଉଠାଇବା ନିମନ୍ତେ ନିୟୋଜିତ ଟ୍ରାକ୍ଟର ଆବର୍ଜନା ନେଇ ସ୍ଥାନୀୟ ଶ୍ମଶାନ କାଳୀ ଜଙ୍ଗଲରେ ପକାଇବା ନିମନ୍ତେ ଯାଇଥିଲା ବେଳେ ତାହାକୁ ସ୍ଥାନୀୟ ଲୋକେ ଅଟକ ରଖିଥିଲେ। ଗାଡ଼ିି ସମ୍ମୁଖରେ ଧାରଣାରେ ବସି ଆବର୍ଜନା ପକାଇବାକୁ ବିରୋଧ କରିଥିଲେ ା ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଏନଏସିର ସମସ୍ତ ଆବର୍ଜନା ଜଙ୍ଗଲ ମଧ୍ୟରେ ୫ ବର୍ଷରୁ ଅଧିକ ହେବ ପଡ଼ି ଆସୁଛି ା ଫଳରେ ସ୍ଥାନୀୟ ଲୋକେ ନାନା ରୋଗରେ ଆକ୍ରାନ୍ତ ହେଉଛନ୍ତି। ଏହା ସହିତ ଆବର୍ଜନାକୁ ଖାଇ ଅନେକ ଗୋରୁ ଗାଈ ମଧ୍ୟ ମୃତ୍ୟୁମୁଖରେ ପଡ଼ୁଥିବା ନଜିର ରହିଛି। ଜଙ୍ଗଲ ନିକଟରେ ରହୁଥିବା ଗ୍ରାମବାସୀମାନଙ୍କ ଠାରୁ ଆରମ୍ଭ କରି ଛୋଟ ପିଲାମାନେ ବିଭିନ୍ନ ପ୍ରକାର ଚର୍ମ ରୋଗରେ ଆକ୍ରାନ୍ତ ହେଉଥିବା ଗ୍ରାମର ସଂଯୁକ୍ତା ପାତ୍ର, ବାସୁମଣୀ ସିଂ ଅଭିଯୋଗ କରିଛନ୍ତି। ଗତ ଦୁଇ ବର୍ଷ ମଧ୍ୟରେ ଜଙ୍ଗଲରେ ଆବର୍ଜନା ନ ପକାଇବା ନେଇ ବାରମ୍ବାର ଏନଏସି ଚେୟାରମ୍ୟାନଙ୍କ ଠାରୁ ଆରମ୍ଭ କରି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଅବଗତ କରାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳିପାରି ନାହିଁ ା ଗତ ଫେବୃଆରୀ ମାସ ସୁଦ୍ଧା ଜଙ୍ଗଲରେ ଅଳିଆ ଡମ୍ପ କରାଯିବ ନାହିଁ ଏବଂ ଅନ୍ୟତ୍ର ଆବର୍ଜନା ପକା ଯିବ ବୋଲି ଏନଏସି କର୍ତ୍ତୃପକ୍ଷ ସ୍ଥାନୀୟ ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ ବୋଲି ଅଞ୍ଜନା ଖଣ୍ଡେଇ, ଏକାଦଶୀ ମିରିଡିଆ କହିଛନ୍ତି ା ହେଲେ ତାହା କାର୍ଯ୍ୟକାରୀ ନ ହେବାରୁ ସ୍ଥାନୀୟ ଶତାଧିକ ମହିଳା ଆବର୍ଜନା ଗାଡିକୁ ଅଟକାଇବା ସହିତ ଧାରଣାରେ ବସିଥିଲେ। ଖବର ପାଇ ଉଦଳା ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚତ୍ ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲା। ଅନ୍ୟପଟେ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଅନୁପସ୍ଥିତ ଥିବାରୁ ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରାଯାଇପାରି ନ ଥିବା ଜଣାପଡ଼ିଛି। ଯାହାଫଳରେ ଆବର୍ଜନା ବୋଝେଇ ଟ୍ରାକ୍ଟର ସ୍ଥାନୀୟ ଏନଏସି କାର୍ଯ୍ୟାଳୟକୁ ଫେରି ଆସିଥିବା ଜଣାଯାଇଛି ା