ଡଙ୍ଗା ଭସାଇ ଫେରୁଥିବାବେଳେ ଦୁର୍ଘଟଣା, ୩ ମୃତ

ଯାଜପୁର ଟାଉନ/ କୋରେଇ, ୧୨।୧୧ (ଡିଏନଏ/ସ୍ବ.ପ୍ର): କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଡଙ୍ଗା ଭସାଇ ଫେରିବାବେଳେ ଏକ ସଡ଼କ ଦୁର୍ଘଟଣାରେ ଚାଲିଯାଇଛି ୩ ଜୀବନ। ଯାଜପୁର ଜିଲା ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥରେ ଏଭଳି ଦୁର୍ଘଟଣା ଘଟିଛି। ମୃତକମାନେ ହେଲେ ପାଣିକୋଇଲି ଥାନା ନରପଦା ଗ୍ରାମର ଜଗନ୍ନାଥ ପଣ୍ଡା(୪୨), ଯାଜପୁର ବ୍ଲକ ବିରୁହା ପଞ୍ଚାୟତ ତଣ୍ଡରା ଗ୍ରାମର କାଠି ଦଳାଇଙ୍କ ପୁଅ ସିପୁନ୍‌(୨୧), ମହେଶ୍ୱର ଦଳାଇଙ୍କ ପୁଅ ଇନ୍ଦ୍ରମଣି(୨୯)। ମଙ୍ଗଳବାର ଭୋର ସମୟରେ ଯାଜପୁର ଦଶାଶ୍ୱମେଧ ଘାଟରେ ଡଙ୍ଗା ଭସାଇ ଘରକୁ ଫେରୁଥିବାବେଳେ ପଥରପଦାଠାରେ ଏକ ଆଳୁ ବୋଝେଇ ଟ୍ରକ୍‌ (ଓଆର୦୫ଏଡି ୨୨୩୬) ସହ ବାଇକ୍‌ (ଓଆର୦୪ଜେ ୭୭୩୩)ର ମୁହାଁମୁହିଁ ଧକ୍କା ହୋଇଥିଲା। ବାଇକ୍‌ରେ ଥିବା ୩ଜଣଙ୍କ ମଧ୍ୟରୁ ଜଗନ୍ନାଥଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଇନ୍ଦ୍ରମଣି ଓ ସିପୁନ ଗୁରୁତର ହୋଇଥିଲେ। ସେମାନଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲେ ହେଁ ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଦୁର୍ଘଟଣା ପରେ ଟ୍ରକ୍‌ଟି ରାସ୍ତାକଡରୁ ତଳକୁ ଓଲଟି ପଡିଥିଲା।