Categories: ଗଞ୍ଜାମ

ଡକାୟତି ଯୋଜନା ପଣ୍ଡ: ୮ ଗିରଫ, ମାରଣାସ୍ତ୍ର ଜବତ

ହିଞ୍ଜିଳିକାଟୁ,୧୨ା୬(ଡି.ଏନ୍‌.ଏ)-ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଗୋପୀନାଥପୁରଠାରେ ଏକ ରାଜପଥ ଲୁଟେରା ଗ୍ୟାଙ୍ଗ ଗୁରୁବାର ବିଳମ୍ବିତ ରାତିରେ ଡକାୟତି ପାଇଁ ଯୋଜନା କରୁଥିବାବେଳେ ହିଞ୍ଜିଳି ପୋଲିସ ଏହାକୁ ପଣ୍ଡ କରିଛି। ଏହି ଘଟଣାରେ ୮ଜଣଙ୍କୁ ଗିରଫ କରାଯାଇଥିବାବେଳେ ସେମାନଙ୍କଠାରୁ ୨ବାଇକ, ଗୋଟିଏ ପିସ୍ତଲ, ୨ବୋମା ସମେତ ମାରଣାସ୍ତ୍ର ଜବତ କରାଯାଇଛି। ଗିରଫମାନେ ହେଲେ ଆସିକା ଥାନା ପୁଡ଼ୁଗଶ୍ୱରପଲୀର ସନାତନ ମହାନ୍ତି, କୋଟିନଡ଼ାର କାଳୁଚରଣ ପାତ୍ର, ଖଲ୍ଲିକୋଟ ଥାନା ନୂତନ ବ୍ରହ୍ମପୁରର ନରହରି ପାଣ୍ଡି, ତେନ୍ତୁଳିଆପଦାର ମିଥୁନ ସାହାଣୀ, ଶିବ ଜାଲି, କାହ୍ନା ସାହାଣୀ, ଗାଙ୍ଗପୁର ଥାନା ବରଡ଼ ଗ୍ରାମର ଭଗବାନ ନାଇକ ଓ ପୋଲସରା ସୂର୍ଯ୍ୟନଗର ଅଞ୍ଚଳର ଯଜ୍ଞ ପ୍ରଧାନ। ଏ ନେଇ କେସ ନଂ. ୧୯୭/୨୦ରେ ମାମଲା ରୁଜୁ ହୋଇଛି। ଗିରଫମାନଙ୍କୁ ଶୁକ୍ରବାର କୋର୍ଟଚାଲାଣ କରାଯାଇଥିବା ପୋଲିସ କହିଛି।