ଡକାୟତି ଉଦ୍ୟମ ପଣ୍ଡ, ୩ ଅଣଓଡିଆ ଯୁବକ ଗିରଫ

ସୋନପୁର,୨୭।୮(ନି.ପ୍ର.): ଡକାୟତି ଉଦ୍ୟମ କରୁଥିବା ଏକ ଗ୍ୟାଙ୍ଗକୁ ଧରିଛି ସୋନପୁର ଟାଉନ ପୋଲିସ। ଏହି ଡକାୟତ ଗ୍ୟାଙ୍ଗର ୩ ଜଣ ଧରା ପଡିଥିବା ବେଳେ ଅନ୍ୟ ୨ଜଣ ଫେରାର ହୋଇଯାଇଛନ୍ତି। ପୋଲିସ ଏକ ମାମଲା ରୁଜୁ କରି ମଙ୍ଗଳବାର ଗିରଫ ୩ ଜଣଙ୍କୁ କୋର୍ଟଚାଲାଣ କରିଛି। କଳାପଥର ଛକରେ ସେମାନେ ଡକାୟତି ପାଇଁ ସୋମବାର ରାତିରେ ଯୋଜନା କରୁଥିଲେ। ଥାନା ଏସଆଇ ସୁବ୍ରତ କୁମାର ପାଣିଗ୍ରାହୀଙ୍କ ନେତୃତ୍ୱରେ ରାତିରେ ପାଟ୍ରୋଲିଂ କରୁଥିବା ପୋଲିସ ଟିମ୍‌ ଅଭିଯୁକ୍ତଙ୍କୁ ଧରିଥିଲା। ଗିରଫ ଅଭିଯୁକ୍ତମାନେ ହେଲେ ମଧ୍ୟପ୍ରଦେଶର ଜେବ୍ରା ଥାନା ଅନ୍ତର୍ଗତ ସିଂଗ୍ରାମପୁର ଅଞ୍ଚଳର ସଞ୍ଜୟ ବସୁର(୨୦), ସୁରଜ ବସୁର(୧୯) ଓ ଛୋଟୁ ଚମାର(୧୯) । ସେମାନଙ୍କ ନିକଟରୁ ଗୋଟିଏ ଦେଶୀ ପିସ୍ତଲ, ଗୋଟିଏ ଜୀବନ୍ତ ଗୁଳି, ଭୁଜାଲି, ୫ଟି କଳା କନାର ମୁଖା, ମୋବାଇଲ ଓ ନଗଦ ୨୨୭୫ଟଙ୍କା ଜବତ ହୋଇଛି।