Categories: ଗଞ୍ଜାମ

ଠାକୁରାଣୀ ଯାତ୍ରାଦାଣ୍ଡକୁ ଆକର୍ଷିତ କଲା ସମୂହ ଲଣ୍ଡାବେଶ

ବ୍ରହ୍ମପୁର ଅଫିସ,୨୬ା୪- ରେଶମ ନଗରୀ ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢ଼ୀ ଠାକୁରାଣୀଙ୍କ ଚଳିତ ବର୍ଷ ଯାତ୍ରାର ଗୁରୁବାର ୨୭ ଦିନ ପୂରିଛି। ସନ୍ଧ୍ୟାରେ ବାହାରିଥିବା ବିଜିପୁର ଲଣ୍ଡା ବେଶ ଯାତ୍ରାଦାଣ୍ଡକୁ ବେଶ୍‌ ଆକର୍ଷିତ କରିଥିଲା। ଶତାଧିକ ଶିଶୁଠାରୁ ବୟସ୍କ ବ୍ୟକ୍ତି ସମୂହ ମୁଣ୍ଡନ ହୋଇଥିଲେ। ସମସ୍ତେ ବିଭିନ୍ନ ବେଶ ପକାଇ ବିଜିପୁର କାଳୁଆ ମନ୍ଦିର ନିକଟରୁ ଶୋଭାଯାତ୍ରାରେ ବାହାରିଥିଲେ।

ବିଜିପୁରର ସମସ୍ତ ସାହି ପରିକ୍ରମା ପରେ ମେନରୋଡସ୍ଥିତ ଗ୍ଲୋବାଲ ସଂସ୍ଥା ଏବଂ ଉମାକାନ୍ତ ପଣ୍ଡା ପରିବାର ପକ୍ଷରୁ ମାନସିକ ବେଶଧାରୀମାନଙ୍କୁ ଆପ୍ୟାୟିତ କରାଯାଇଥିଲା। ସେଠାରୁ ବିଜିପୁର ବଜାର, ଗୋପବନ୍ଧୁ ଛକ, ଖଲ୍ଲିକୋଟ କଲେଜ, ଟାଉନ ହଲ ଛକ, ଟେଲିଫୋନ ଭବନ ରୋଡ, ପୁରୁଣା ବସ୍‌ଷ୍ଟାଣ୍ଡ, ଫାୟାର ଷ୍ଟେଶନ ରୋଡ, ଅନ୍ନପୂର୍ଣ୍ଣା ବଜାର, ଅର୍ବାନ ବ୍ୟାଙ୍କ, ଗିିରିଜା ଛକ, ସତ୍ୟ ନାରାୟଣ ମନ୍ଦିର ଅଞ୍ଚଳ ଦେଇ ଗିରି ମାର୍କେଟରେ ପହଞ୍ଚତ୍ଥିଲେ।  ଲଣ୍ଡା ବେଶ ଉପଭୋଗ ପାଇଁ ରାସ୍ତାର ଉଭୟ ପାର୍ଶ୍ୱରେ ଲୋକେ ଉକତ୍ଣ୍ଠାର ସହ ଅପେକ୍ଷା କରିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ହନୁମାନ ବଜାର, ସାନବଜାର, ବଡ଼ବଜାର, ରାଜା ଗୋର୍ଜି, ମହୁରୀ ରାଜବାଟୀ ରୋଡ ଦେଇ ଯାତ୍ରାସ୍ଥଳ ଦେଶୀ ବେହେରା ବଜାରରେ ପହଞ୍ଚତ୍ଥିଲା। ବେଶଧାରୀମାନେ ଅସ୍ଥାୟୀ ପୀଠରେ ମା’ଙ୍କୁ ଦର୍ଶନ କରିଥିଲେ। ଯାତ୍ରା ଅବଧି ଆଉ ମାତ୍ର ୪ ଦିନ ଥିବାରୁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ହେଉଛି। ଦୁଇ ବର୍ଷରେ ବାପା ଘରକୁ ଆସିଥିବା ମା’ ବୁଢ଼ୀ ଠାକୁରାଣୀଙ୍କ ଦର୍ଶନ ପାଇଁ ଗଞ୍ଜାମ ସମେତ ବିଭିନ୍ନ ଜିଲାରୁ ବିଭିନ୍ନ ଭକ୍ତଙ୍କ ସୁଅ ଛୁଟୁଛି। ବେଶ ସଂଖ୍ୟା ମଧ୍ୟ ବଢ଼ି ଚାଲିଥିବା ବେଳେ ଗୁରୁବାର ସନ୍ଧ୍ୟାରେ ସମୂହ ଲଣ୍ଡା ବେଶ ବେଶ୍‌ ଉପଭୋଗ୍ୟ ହୋଇଥିଲା।