ଟ୍ରେନ, ଷ୍ଟେଶନରେ କମିଛି ଫେରି ବିକ୍ରି

ଭୁବନେଶ୍ୱର,୩୧ା୧୦(ବ୍ୟୁରୋ): ଜିରୋ ଟଲରେନ୍ସ ନୀତିରେ ପୂର୍ବତଟ ରେଳପଥ ଷ୍ଟେଶନ ଓ ଟ୍ରେନରେ ଅଣସ୍ବୀକୃତିପ୍ରାପ୍ତ ଫେରିବାଲା ବିକ୍ରି ଉପରେ ଅଙ୍କୁଶ ଲଗାଯିବା ପରେ ଦୁଇଟି ପର୍ଯ୍ୟାୟରେ କାର୍ଯ୍ୟାନୁଷ୍ଠାନ ନେଇ ସଫଳତା ପାଇଛି। ପୂର୍ବ ଅପେକ୍ଷା ଏବେ ଅଣସ୍ବୀକୃତିପ୍ରାପ୍ତ ଫେରିବାଲାଙ୍କ ବହୁମାତ୍ରାରେ ହ୍ରାସ ପାଇଛି ବୋଲି ପୂର୍ବତଟ ରେଳପଥ କହିଛି । ୨୦୧୯ ଜୁନରୁ ସେପ୍ଟେମ୍ବର ମଧ୍ୟରେ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ବୁଲା ବିକାଳି ସଂଖ୍ୟା ୧୪୫୧କୁ ହ୍ରାସ ପାଇଛି । ଗତ ୨୦୧୮ ଏହି ସମୟ ମଧ୍ୟରେ ୪୭୪୨ ଥିବାବେଳେ ୨୦୧୭ ମସିହାରେ ଏହା ୫୨୫୦ ଥିଲା। ଯାତ୍ରୀଙ୍କ ସ୍ବାସ୍ଥ୍ୟ, ସୁରକ୍ଷା, ନିରାପତ୍ତା ଓ ସ୍ବଚ୍ଛତା ପ୍ରତି ଧ୍ୟାନଦେଇ ଗୁଣାତ୍ମକ ଯାତ୍ରାର ଉପଲବ୍ଧ କରାଇବା ପାଇଁ ଏହି ଅଭିଯାନକୁ ଦୃଢତାର ସହ ଗ୍ରହଣ କରିଛି। ପୂଜା ଛୁଟି ପରେ ବୁଲାବିକାଳି କାର୍ଯ୍ୟକଳାପ ବୃଦ୍ଧିପାଇବା ଆଶଙ୍କା କରି କାର୍ଯ୍ୟ ବଳକୁ ସତର୍କ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଉଭୟ ବାଣିଜି୍ୟକ ଓ ରେଳ ସୁରକ୍ଷା ବଳକୁ ରେଳପଥ ନିର୍ଦ୍ଦେଶ ଦେଇଛି । ପୂର୍ବତଟ ରେଳପଥର ପ୍ରମୁଖ ସୁରକ୍ଷା ଆୟୁକ୍ତ ରାଜା ରାମଙ୍କ ନେତୃତ୍ୱରେ ଏହି କାର୍ଯ୍ୟାନୁଷ୍ଠାନକୁ ବ୍ୟାପକ କରାଯାଉଛି। ଅଣସ୍ବୀକୃତିପ୍ରାପ୍ତ ଫେରିବାଲା କାର୍ଯ୍ୟକଳାପ କିମ୍ବା ଯାତ୍ରୀମାନଙ୍କର ସୁରକ୍ଷା ସମ୍ବନ୍ଧୀୟ ସମସ୍ୟା ଉପୁଜିଲେ ସୁରକ୍ଷା ହେଲ୍ପଲାଇନ ୧୮୨ କୁ ଜଣାପାରିବେ ବୋଲି କୁହାଯାଇଛି ।