ଟ୍ରେନ ଚାଲିଲେ ବଢିବ ସଂକ୍ରମଣ: ଆତଙ୍କିତ ଅଞ୍ଚଳବାସୀ

ଯୋଡା,୨୪ା୫(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ବ୍ଲକ ହେଉଛି ଏକ ଶ୍ରମିକ ବହୁଳ ବସ୍ତି ଓ ହଟିଂ ଉପତ୍ୟକା। ଏଠାକୁ ବିଭିନ୍ନ ରାଜ୍ୟ ତଥା ଅଞ୍ଚଳର ଶ୍ରମିକ ମାନେ ଆସି କାର୍ଯ୍ୟ କରିଥାନ୍ତି। ବିଭିନ୍ନ କାରଣରୁ ଖଣିଖାଦାନ୍‌ ବନ୍ଦ ହେବା ପରେ ଏ ଅଞ୍ଚଳରୁ ବହୁ ଶ୍ରମିକ ବାହାର ଅଞ୍ଚଳକୁ କାର୍ଯ୍ୟ କରିବାକୁ ଯାଇଛନ୍ତି। ଏହି ପରିପ୍ରେକ୍ଷୀରେ ଯଦି ପ୍ରବାସୀମାନଙ୍କୁ ପଶ୍ଚିମବଙ୍ଗର କୋଲକାତାଠାରୁ ଯୋଡା ଓ ବଡବିଲ ଆଣିବା ପାଇଁ ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳ ହୁଏ, ତାହେଲେ ବାହାର ଅଞ୍ଚଳରୁ ହଜାର ହଜାର ଲୋକ ଏ ଅଞ୍ଚଳକୁ ପ୍ରବେଶ କରିଆସିବେ। ଯାହାକି କରୋନା ଭାଇରସ ସଂକ୍ରମଣ ବୃଦ୍ଧି ହେବା ଆଶଙ୍କା ରହିଛି। କାରଣ ଟ୍ରେନ୍‌ରେ ଆସୁଥିବା ଯାତ୍ରୀମାନଙ୍କୁ ବଡବିଲ୍‌ ଷ୍ଟେଶନରୁ କ୍ୱାରାଣ୍ଟାଇନ୍‌ ସେଣ୍ଟରକୁ ନିଆଯିବ ହେଲେ ଟ୍ରେନ୍‌ଟି ଆସି ବଡବିଲ୍‌ ଷ୍ଟେଶନରେ ପହଞ୍ଚିବା ପୂର୍ବରୁ ଦୁଇ ତିନୋଟି ସ୍ଥାନରେ ଟ୍ରେନ୍‌ର ବେଗ ମନ୍ଥର ହୋଇଥାଏ। ଏହାର ଫାଇଦା ଉଠାଇ ବହୁଯାତ୍ରୀ ସେଠାରେ ଓହ୍ଲାଇ ନିଜ ନିଜ ଘରକୁ ଯିବେ। ତେବେ ଆଗରୁ ଏଭଳି ନଜିର ମଧ୍ୟ ରହିଛି ା ଏ ସମ୍ପର୍କରେ ଯୋଡା ବିକାଶ ପରିଷଦର ସଂପାଦକ ସୁଶାନ୍ତ କୁମାର ବାରିକ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଲକଡାଉନ୍‌ର ଅବଧି ଶେଷ ପରେ ଯଦି ବଡବିଲ୍‌କୁ ଜନଶତାବ୍ଦୀ ଟ୍ରେନ୍‌ ଚଳାଚଳ ହୁଏ , ତେବେ ବାହାର ରାଜ୍ୟରୁ ଆସୁଥିବା ପ୍ରବାସୀ ଶ୍ରମିକଙ୍କ ଯୋଗୁ ଯୋଡା ବଡବିଲ୍‌ ଖଣି ଅଞ୍ଚଳରେ ଭାଇରସ ସଂକ୍ରମଣ ବୃଦ୍ଧି ପାଇବ। ଆଜି ପର୍ଯ୍ୟନ୍ତ ଯୋଡା ବ୍ଲକର ବଡବିଲ ଠାରେ ପଶ୍ଚିମବଙ୍ଗରୁ ଆସିଥିବା ଜଣେ କରୋନା ପଜିଟିଭ୍‌ ରୋଗୀ ଚିହ୍ନଟ ହୋଇଥିବା ବେଳେ ବସ୍‌ ଟ୍ରେନ୍‌ ଚଳାଚଳ ଯୋଗୁ ସଂକ୍ରମଣର ମାତ୍ରା ବହୁ ଗୁଣ ବୃଦ୍ଧି ପାଇବ। ଏଣୁ ବଡବିଲ୍‌କୁ ବର୍ତ୍ତମାନ ଟ୍ରେନ୍‌ ଚଳାଚଳ ନ କରିବା ପାଇଁ ସେ ଦାବି କରିଛନ୍ତି। ଏହିପରି ଯୋଡା ଅଞ୍ଚଳର ବରିଷ୍ଠ ନାଗରିକ ସୋମନାଥ ମହାନ୍ତି, ଜୁରୁଡିର ସୁର ମହାନ୍ତି, ଯୁବ ସଂଗଠକ ମାନସ ଦାସ, ସୁବାଷ ସେନ୍‌ ଗୁପ୍ତା, ପ୍ରଭା ରାଉତ ପ୍ରମୁଖ ଯୋଡ଼ା ଅଞ୍ଚଳରେ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ଦାବି କରିଛନ୍ତି। ଆଗାମୀ ୧ ତାରିଖରୁ ଆରମ୍ଭ ରେଳ ଚଳାଚଳ ଏହା ଉପରେ ପ୍ରଭାବ ପକାଇବା ବୋଲି ସେମାନେ କହିଛନ୍ତି। ଏଣୁ ଏହି ରେଳ ଚଳାଚଳକୁ ସାମୟିକ ସ୍ଥଗିତ କରିବା ପାଇଁ ସେମାନେ ଦାବି କରିଛନ୍ତି।