ଟ୍ରେନ୍‌ରୁ ୧୫ କଇଁଛ ଉଦ୍ଧାର:ଅଭିଯୁକ୍ତ ଗିରଫ

ରୂପ୍‌ସା, ୨୨।୯(ଡି.ଏନ.ଏ.)-ଦକ୍ଷିଣ-ପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବାଲେଶ୍ୱର ଜିଲା ରୂପ୍‌ସା ଆରପିଏଫ୍‌ ଥାନା ପୋଲିସ ରବିବାର ଏକ ଟ୍ରେନ୍‌ରେ ଚଢ଼ାଉ କରି ୧୫ଟି ଦେଶୀ କଇଁଛ ଉଦ୍ଧାର କରିଛି। ଏଥିସହ ଅଭିଯୁକ୍ତ ରୂପ୍‌ସା ଥାନା ବରହମ୍‌ପୁର ଗ୍ରାମର ଶଙ୍କର ଚନ୍ଦ୍ର ଗୋଚ୍ଛାୟତଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ଓ ଉଦ୍ଧାର କଇଁଛକୁ ବାଲେଶ୍ୱର ବନବିଭାଗକୁ ହସ୍ତାନ୍ତର କରାଯାଇଛି। ଫରେଷ୍ଟର ବିବେକାନନ୍ଦ ଜେନା ଶଙ୍କରଙ୍କ ବିରୋଧରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି।
ପୁରୀ-ହାଓ୍ବଡ଼ା ଜଗନ୍ନାଥ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଅଭିଯୁକ୍ତ ଶଙ୍କର ଓ ଅନ୍ୟ ଜଣେ ସହଯୋଗୀ ଦେଶୀ କଇଁଛ ନେଇ ପଶ୍ଚିମବଙ୍ଗ ଯାଉଥିଲେ। ଖବରପାଇ ଆର୍‌ପିଏଫ୍‌ ଥାନା ପୋଲିସ ସମମସ୍ତ ବଗି ଯାଞ୍ଚ କରି ଜଳେଶ୍ୱର ଷ୍ଟେଶନରେ ଅଭିଯୁକ୍ତଙ୍କୁ କାବୁ କରିବା ସହ କଇଁଛ ସବୁକୁ ଉଦ୍ଧାର କରିଥିଲେ। ଅନ୍ୟ ଜଣେ ସହଯୋଗୀ ଫେରାର ହୋଇଯାଇଥିବା ଜଣାପଡ଼ିଛି।