ଟ୍ରେଡ୍‌ ଲାଇସେନ୍ସ ବିନା ସାମଗ୍ରୀ ପାଇଁ ଆସିପାରିବେନି ବ୍ୟବସାୟୀ

ଭୁବନେଶ୍ୱର,୨୫ା୩(ବ୍ୟୁରୋ): ଏଣିକି ଟ୍ରେଡ୍‌ ଲାଇସେନ୍ସ ନ ଥିଲେ ବ୍ୟବସାୟୀ ନିଜ ଅଞ୍ଚଳରୁ ବାହାରି ପରିବା କିମ୍ବା ଗ୍ରସେରି ସାମଗ୍ରୀ ଆଣିବା ପାଇଁ ଆସିପାରିବେନି। ବିଭିନ୍ନ ସ୍ଥାନରେ କେତେକ ବ୍ୟକ୍ତି ଦୋକାନ ସାମଗ୍ରୀ ଆଣିବା ଆଳରେ ଏଣେତେଣେ ବୁଲୁଥିବା ନଜରକୁ ଆସିବା ପରେ କମିଶନରେଟ୍‌ ପୋଲିସ୍‌ ଏଭଳି କଟକଣା ଜାରି କରିଛି। ସମସ୍ତ ବ୍ୟବସାୟୀ ନିଜ ଟ୍ରେଡ ଲାଇସେନ୍ସ ଦେଖାଇ ବଜାରକୁ ଆସିପାରିବେ ବୋଲି କମିଶନରେଟ୍‌ ପୋଲିସ୍‌ ପକ୍ଷରୁ କୁହାଯାଇଛି। ଏହାପରେ ଭୁବନେଶ୍ୱର ତଥା ଉପକଣ୍ଠ ଅଞ୍ଚଳର ଯେଉଁ ବ୍ୟବସାୟୀମାନେ ଭୁବନେଶ୍ୱର ୟୁନିଟ୍‌ ୧ ଏବଂ ଅନ୍ୟ ବଡ଼ ମାର୍କେଟ ଉପରେ ନିର୍ଭର କରୁଥିଲେ ସେମାନେ ଘରୁ ରାସ୍ତାକୁ ବାହାରି ପାରୁନାହାନ୍ତି। ତେଣୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ସମ୍ପୃକ୍ତ ବ୍ୟବସାୟୀମାନଙ୍କୁ ନିଜ ଫୋନ୍‌ରେ ଇଣ୍ଟରନେଟ୍‌ ମାଧ୍ୟମରେ ଅନ୍‌ଲାଇନ୍‌ ଟ୍ରେଡ୍‌ ଲାଇସେନ୍ସ ଆବେଦନ କରିବା ପାଇଁ ପରାମର୍ଶ ଦେଇଛି।
ଉଲ୍ଲେଖଯୋଗ୍ୟ, କିଛି ଦିନ ତଳେ ବ୍ୟବସାୟୀମାନଙ୍କୁ ଅନ୍‌ଲାଇନ୍‌ରେ ଟ୍ରେଡ୍‌ ଲାଇସେନ୍ସ ଆବେଦନ କରିବା ପାଇଁ ବିଏମ୍‌ସି କହିଥିଲା। କିନ୍ତୁ ଅନେକ ବ୍ୟବସାୟୀ ଏହାକୁୁ ବେଖାତିର କରିଥିଲେ। କେନ୍ଦ୍ର ଓ ରାଜ୍ୟ ସରକାର ମଙ୍ଗଳବାର ପରିବହନ ପାଇଁ ଟ୍ରେଡ୍‌ ଲାଇସେନ୍ସ ବାଧ୍ୟତାମୂଳକ ଘୋଷଣା କରିବା ପରେ ଏବେ ବ୍ୟବସାୟୀଙ୍କୁ ଚିନ୍ତା ଘାରିଛି। ଏ ନେଇ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି, ବ୍ୟବସାୟୀମାନେ ଏନେଇ ଚିନ୍ତା କରିବାର କିଛି ଆବଶ୍ୟକତା ନାହିଁ। ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଏମ୍‌ସି ବ୍ୟାପକ ବ୍ୟବସ୍ଥା ହାତକୁ ନେଇଛି। ବ୍ୟବସାୟୀମାନେ ଆବେଦନ କରିବା ପରେ ସମ୍ପୃକ୍ତ ୱାର୍ଡର ୱାର୍ଡ ଅଫିସର ତାଙ୍କ ଆବେଦନ ଯାଞ୍ଚ କରିବେ। ତା’ପରେ ସେମାନେ ଉକ୍ତ ଆବେଦନପତ୍ରକୁ ପୋଲିସ୍‌କୁ ଦେଖାଇ ସାମଗ୍ରୀ କିଣାବିକା କରିପାରିବେ। ଆବେଦନର ୧୫ ଦିନ ପରେ ସମ୍ପୃକ୍ତ ବ୍ୟବସାୟୀଙ୍କୁ ଟ୍ରେଡ୍‌ ଲାଇସେନ୍ସ ପ୍ରଦାନ କରାଯିବ।