Categories: ଗଞ୍ଜାମ

ଟ୍ରେଡ୍‌ ଲାଇସେନ୍ସ ଫି ସଂଶୋଧନ ଦାବି, ଜିଲାପାଳଙ୍କୁ ଭେଟିଲେ ବ୍ୟବସାୟୀ ସଂଘ

ଛତ୍ରପୁର,୧। ୭(ଡି.ଏନ.ଏ)-ଗଞ୍ଜାମ ଜିଲା ହେଡକ୍ୱାର୍ଟର ଛତ୍ରପୁର ଏନଏସି ପକ୍ଷରୁ ନିର୍ଦ୍ଧାରିତ ଟ୍ରେଡ୍‌ ଲାଇସେନ୍ସ ଫି’କୁ ସଂଶୋଧନ କରିବାକୁ ସମସ୍ତ ବ୍ୟବସାୟୀ ସଂଘ ଦାବି କରିଛନ୍ତି। ସୋମବାର ଛତ୍ରପୁରର ସମସ୍ତ ସଂଘର କର୍ମକର୍ତ୍ତାମାନେ ଅଭିଯୋଗ ଶୁଣାଣି ବେଳେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ଭେଟି ଦୃଷ୍ଟି ଆକର୍ଷଣ କରଛନ୍ତି। ଏଥିସହ ବିଭିନ୍ନ ସଂଘ ପକ୍ଷରୁ ମିଳିତ ଭାବେ ଏକ ସ୍ମାରକପତ୍ର ଜିଲାପାଳଙ୍କୁ ପ୍ରଦାନ କରାଯାଇଛି।
ବ୍ୟବସାୟୀ ସଂଘଗୁଡିକର କହିବାନୁଯାୟୀ ଛତ୍ରପୁର ଏନଏସି ପକ୍ଷରୁ ନିର୍ଦ୍ଧାରିତ କରାଯାଇଥିବା ଟ୍ରେଡ୍‌ ଲାଇସେନ୍ସ ଫି’ ଅନ୍ୟ ଏନଏସି ଓ ମ୍ୟୁନିସିପାଲିଟି ଅପେକ୍ଷା ବହୁତ ଅଧିକ ା ତେଣୁ ଏହାର ପୁନଃବିଚାର କରି ଛତ୍ରପୁର ସହର ନିକଟ ଏନଏସି ଓ ମ୍ୟୁନିସିପାଲିଟିର ନିର୍ଦ୍ଧାରିତ ମୂଲ୍ୟକୁ ଆଧାର କରି ଫି’ ସଂଶୋଧନ କରିବାକୁ ବ୍ୟବସାୟୀ ସଂଘ କର୍ମକର୍ତ୍ତାମାନେ ଜିଲାପାଳଙ୍କୁ ଅନୁରୋଧ କରିଛନ୍ତି। ପ୍ରଶାସନର ପଲିଥିନ ବ୍ୟବହାର ନିଷେଧ ଘୋଷଣାକୁ ବ୍ୟବସାୟୀ ସଂଘଗୁଡିକ ସ୍ବାଗତ କରିବା ସହ ସମର୍ଥନ ଜଣାଇଛନ୍ତି। ଅନ୍ୟପକ୍ଷରେ ଅଧିକାଂଶ ଗ୍ରାହକ ପଲିଥିନ ମାଗୁଥିବାରୁ ଅସୁବିଧା ହେଉଛି । ତେଣୁ କେତେ ମାଇକ୍ରୋନ୍‌ର ପଲିଥିନ ବ୍ୟବହାର କରିହେବ ସେ ସମ୍ପର୍କରେ ବ୍ୟବସାୟୀ ମାନଙ୍କୁ ଅବଗତ କରିବାକୁ ସଂଘଗୁଡ଼ିକ ପକ୍ଷରୁ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ମହାଶକ୍ତି ବଣିକ ସଂଘର ସଭାପତି କିଶୋର ଚନ୍ଦ୍ର ସେନାପତି, ଅପରବସଷ୍ଟାଣ୍ଡ ବ୍ୟବସାୟୀ ସଂଘର ସଭାପତି ବି. ରାଜୁ ବାବୁ, ବଡବଜାର ବ୍ୟବସାୟୀ ସଂଘର ସଭାପତି ପ୍ରଫୁଲ୍ଲ କୁମାର ସେନାପତି, ଛତ୍ରପୁର ଗ୍ରୋସରି ବ୍ୟବସାୟୀ ସଂଘ ସଭାପତି ସୟଦ ମୁକ୍ତାର, ରିକାପଲ୍ଲୀ ବ୍ୟବସାୟୀ ସଂଘ ସଭାପତି ଲକ୍ଷ୍ମୀ ନାରାୟଣ ପଣ୍ଡା, ଛତ୍ରପୁର ସିମେଣ୍ଟ ଡିଲରର୍ସ ଆସୋସିଏଶନ ସଭାପତି ଶିବ ପ୍ରସାଦ ସେନାପତି, ଷ୍ଟକିଷ୍ଟ ଆସୋସିଏଶନର ସଭାପତି କୈଳାସ ଚନ୍ଦ୍ର ଅଗ୍ରୱାଲ, ରାବଣାମ୍ମା ବ୍ୟବସାୟୀ ସଂଘର ଯୁଗ୍ମ ସମ୍ପାଦକ ପଙ୍କଜ ପାଣିଗ୍ରାହୀ ପ୍ରମୁଖ ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ ବେଳେ ଉପସ୍ଥିତ ଥିଲେ ।